ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା
କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ‘ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ’ ୨୦୨୩ ପାଇଁ ନାମ ଘୋଷଣା କରିଛି ।
ଓଡିଶାରୁ ୪ ଜଣ ପାଇବେ ଉତ୍କର୍ଷତା ସମ୍ମାନ
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ‘ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ’ ୨୦୨୩ ପାଇଁ ନାମ ଘୋଷଣା କରିଛି । ୨୦୨୩ ଗୃହମନ୍ତ୍ରୀ ପଦକ ପାଇଁ ୧୪୦ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅପରାଧର ତଦନ୍ତର ଉଚ୍ଚ ବୃତିଗତ ମାନକୁ ପ୍ରୋତ୍ସାହିତ କରିବା ଏବଂ ତଦନ୍ତରେ ଏଭଳି ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ୨୦୧୮ରେ ଏହି ସମ୍ମାନ ଆରମ୍ଭ କରାଯାଇଥିଲା । ଏହି ପୁରସ୍କାର ପାଇଥିବା ତଦନ୍ତ ଅଧିକାରୀଙ୍କ ମଧ୍ୟରେ ସିବିଆଇର ୧୫ ଜଣ, ଏନଆଇଏର ୧୨ ଜଣ, ଉତରପ୍ରଦେଶର ୧୦ ଜଣ, କେରଳ ଓ ରାଜସ୍ଥାନର ୯ ଜଣ ଲେଖାଏଁ, ତାମିଲନାଡୁର ୮ ଜଣ, ମଧ୍ୟପ୍ରଦେଶର ୭ ଜଣ, ଗୁଜୁରାଟର ୬ ଜଣ, ଓଡିଶାର ୪ ଜଣ ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଅଛନ୍ତି । ସେହିଭଳି ଏମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୋଲିସ ଅଧିକାରୀ ଅଛନ୍ତି । ଓଡିଶାର ୪ ଜଣଙ୍କ ନାମ ହେଉଛି ଡେପୁଟି ଏସପି ପ୍ରଭାତ କୁମାର ବିଶ୍ୱାଳ, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି ଓ ଡେପୁଟି ଏସପି ମାନସ ରଞ୍ଜନ ପ୍ରଧାନ ।