ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ

ଓଡ଼ିଶାରେ ନକଲି ଶିକ୍ଷକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ବୋଲି ଏସଏମଇ ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ବିସ୍ତୃତ ତଦନ୍ତ କରିବ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ରାଜ୍ୟରେ ମାଳ ମାଳ ନକଲି ଶିକ୍ଷକ। ଓଡ଼ିଶାରେ ନକଲି ଶିକ୍ଷକଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି ବୋଲି ସୋମବାର ସଦ୍ୟତମ ଓ ନିର୍ଭରଯୋଗ୍ୟ ରିପୋର୍ଟରେ ପ୍ରକାଶ ପାଇଛି। ଏ ନେଇ ବିସ୍ତୃତ ତଦନ୍ତ କରିବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗଣଶିକ୍ଷା ବିଭାଗର ସ୍କାନରରେ ଶହ ଶହ ଶିକ୍ଷକ ଥିବା ବେଳେ ସଂପୃକ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ରକୁ କଡ଼ାକଡ଼ି ଯାଞ୍ଚ କରିବାକୁ ୩୦ଟି ଜିଲ୍ଲାର ଶିକ୍ଷା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁସାରେ, ରାଜ୍ୟ ତଥା ରାଜ୍ୟ ବାହାରୁ ଡିଗ୍ରୀ ହାସଲ କରିଥିବା ସମସ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର ଅସଲି କି ନାହିଁ ତାହା ଭଲ ଭାବେ ଯାଞ୍ଚ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ କୁହାଯାଇଛି। ଅନେକ ଶିକ୍ଷକ ନକଲି ଜାତି ପ୍ରମାଣପତ୍ର ଦେଇ ଚାକିରି ହାତେଇଥିବା ବେଳେ ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ବିଏଡ୍, ଓଟିଇଟି, ମାଟ୍ରିକ୍ ଓ ଅନ୍ୟାନ୍ୟ ନକଲି ସାର୍ଟିଫିକେଟ୍ ଜାଲିଆତି କରି ଅନେକ ବର୍ଷ ଧରି ସରକାରୀ ଚାକିରି କରିଛନ୍ତି। ବିଗତ କିଛି ଦିନ ଭିତରେ ଅନେକ ନକଲି ଶିକ୍ଷକ ଧରା ପଡୁଛନ୍ତି।