ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ୨୨ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ହିମାଚଳ ପ୍ରଦେଶରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟବ୍ୟାପୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ହୋଇ ୨୨ ଜଣଙ୍କର ମୃତ୍ୟୁ ଘଟିଛି

ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି

ସିମଳା: ହିମାଚଳ ପ୍ରଦେଶରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟବ୍ୟାପୀ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୋମବାର ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ରାଜଧାନୀରେ ଏକ ଶିବ ମନ୍ଦିର ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ବିପର୍ଯ୍ୟୟ ସମୟରେ ମନ୍ଦିରରେ ୨୫ରୁ ୩୦ ଜଣ ଉପସ୍ଥିତ ଥିଲେ। ଭଗ୍ନାବଶେଷରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ତତ୍ପରତାର ସହ ଭଗ୍ନାବଶେଷ ସଫା କରିବା ପାଇଁ କାର୍ଯ୍ୟ କରୁଛି। ଅନ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟରେ ସୋଲାନ ଜିଲ୍ଲାର କାଣ୍ଡାଘାଟ ଅଞ୍ଚଳରେ ମେଘ ବିସ୍ଫୋରଣ ଯୋଗୁଁ ବନ୍ୟା ଓ ମାଟି ଖସିଯିବାରୁ ୭ ଜଣ ଜୀବନ୍ତ ପୋତି ହୋଇଯାଇଛନ୍ତି। ମଣ୍ଡି ଜିଲ୍ଲାରେ ବର୍ଷା ବିପର୍ଯ୍ୟୟ ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଚଣ୍ଡିଗଡ଼-ମନାଲି ରାଜପଥ ଶୁକ୍ରବାରଠାରୁ ମଣ୍ଡି ଏବଂ କୁଲ୍ଲୁ ମଧ୍ୟରେ ଯାତାୟାତ ପାଇଁ ବନ୍ଦ ରହିଥିବା ବେଳେ ସୋମବାର ଭୂସ୍ଖଳନ ଯୋଗୁଁ ମଣ୍ଡି ଏବଂ କୁଲ୍ଲୁ ମଧ୍ୟରେ ବିକଳ୍ପ ରାସ୍ତା ମଧ୍ୟ ଅବରୋଧ ହୋଇଛି।