‘ବିଶ୍ୱକର୍ମା ଯୋଜନା’କୁ କ୍ୟାବିନେଟ ମଞ୍ଜୁରୀ

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି କ୍ୟାବିନେଟ୍ ବୈଠକ।

କୌଳିକ ବୃତ୍ତିକାରଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଛି କ୍ୟାବିନେଟ୍ ବୈଠକ। ବୈଠକରେ ସାଧାରଣ ପରିବହନ, ଅଣସଂଗଠିତ କ୍ଷେତ୍ର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ରେଳବାଇ କ୍ଷେତ୍ରରେ ଅନେକ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଦେଶରେ ସବୁଜ ଗତିଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ‘ପିଏମ୍ ଇ-ବସ୍’ ସେବା ଅଧୀନରେ ୧୦,୦୦୦ ଇଲେକ୍ଟ୍ରିକ୍ ବସ୍ କ୍ରୟକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଅଣସଂଗଠିତ କ୍ଷେତ୍ରର ହିତ ପାଇଁ ୧୩,୦୦୦ କୋଟି ଟଙ୍କାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସବୁଜ ସଙ୍କେତ ଦିଆଯାଇଥିଲା ଏବଂ ଡିଜିଟାଲ ଇଣ୍ଡିଆ ଯୋଜନାର ସମ୍ପ୍ରସାରଣକୁ ମଧ୍ୟ ଅନୁମୋଦନ କରାଯାଇଥିଲା। ୩୨,୫୦୦ କୋଟି ଟଙ୍କା ବ୍ୟୟରେ ରେଳବାଇର ୭ଟି ମଲ୍ଟି ଟ୍ରାକିଂ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି।

ସୂଚନାନୁସାରେ, ‘ପିଏମ ଇ-ବସ୍ ସେବା ଯୋଜନା’ ଅଧୀନରେ ୧୬୯ଟି ସହରରେ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ ମଡେଲରେ ୧୦ ହଜାର ଇ-ବସ୍ ନିୟୋଜିତ କରାଯିବ। ଗ୍ରୀନ୍ ମୋବିଲିଟି ଇନିସିଏଟିଭ୍ ଅଧୀନରେ ୧୮୧ଟି ସହରର ଭିତ୍ତିଭୂମିର ଉନ୍ନତି କରାଯିବ। କେନ୍ଦ୍ର ସରକାର ୨୦,୦୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି।

ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା’ ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ,ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ବଢ଼େଇ, ବୁଣାକାର, ଡଙ୍ଗା ତିଆରି କରୁଥିବା ଲୋକ, ଲୁହା କାରିଗର, ସୁନା କାରିଗର, ତାଲା ତିଆରି କରୁଥିବା ଲୋକ, କୁମ୍ଭାର, ମୋଚୀ, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ପ୍ରମୁଖ ରହିଛନ୍ତି। ଏହି ଯୋଜନାରେ କାରିଗରମାନଙ୍କୁ ପ୍ରଥମ କିସ୍ତିରେ ୧ ଲକ୍ଷ ଟଙ୍କା ଏବଂ ଦ୍ବିତୀୟ କିସ୍ତିରେ ଆଉ ୨ ଲକ୍ଷ ଟଙ୍କାର ରିହାତି ଋଣ ପ୍ରଦାନ କରାଯିବ। ୫ ପ୍ରତିଶତ ରିହାତି ସୁଧହାରରେ ଏହି ଋଣ ପ୍ରଦାନ କରାଯିବ।

୧୪,୯୦୩ କୋଟି ଟଙ୍କା ବ୍ୟୟଅଟକଳରେ ‘ଡିଜିଟାଲ ଇଣ୍ଡିଆ ଯୋଜନାର ସଂପ୍ରସାରଣ’କୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ସମ୍ପ୍ରସାରଣ ଅଧୀନରେ ପାଖାପାଖି ୫ ଲକ୍ଷ ଆଇଟି ପ୍ରଫେସନାଲଙ୍କ ଦକ୍ଷତା ପୁନଃକୁଶଳୀ ଏବଂ ଉପକୁଶଳୀ ଏବଂ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୂଚନା ସୁରକ୍ଷା ସମ୍ପର୍କରେ ତାଲିମ ଦିଆଯିବ। ପ୍ରାୟ ୧୨ କୋଟି ଲୋକଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଯିବ।
‘ରେଳବାଇ ମଲ୍ଟି ଟ୍ରାକିଂ ପ୍ରକଳ୍ପ’ ଅଧୀନରେ କେନ୍ଦ୍ର ସରକାରଙ୍କ ଶତ ପ୍ରତିଶତ ପାଣ୍ଠିରେ ୩୨,୫୦୦ କୋଟି ଟଙ୍କାର ୭ଟି ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ ଓ ଓଡ଼ିଶା ସମେତ ୯ଟି ରାଜ୍ୟର ୩୫ଟି ଜିଲ୍ଲାକୁ ଏହି ପ୍ରକଳ୍ପରେ ସାମିଲ କରାଯିବ।