୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି।

ଜନଜୀବନ ବାଧାପ୍ରାପ୍ତ

ବଲାଙ୍ଗୀର: ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବିରେ ଜିଲ୍ଲା କୃଷକ ସଂଗଠନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ପ୍ରମୁଖ ରାଜନୈତିକ ଦଳ, ଟ୍ରେଡ୍ ୟୁନିୟନ ଓ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି।

ଟିଟିଲାଗଡ଼ରେ ଧର୍ମଘଟ ଯୋଗୁଁ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିଛି। ବନ୍ଦ ସମର୍ଥକମାନେ ପୋଷ୍ଟର, ବ୍ୟାନର ଓ ପ୍ଲାକାର୍ଡ ଧରି ମୁଖ୍ୟ ରାସ୍ତା ଓ କିଛି ଟ୍ରାଫିକ୍ ଛକରେ ପିକେଟିଂ କରିଛନ୍ତି।

ଜିଲ୍ଲା କୃଷକ ସମିତି ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ କହିବାନୁଯାୟୀ, ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦେବା ପାଇଁ ବହୁ ବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ ଆମ ଦାବିକୁ ଅଣଦେଖା କରାଯାଉଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି ସେ କହିଛନ୍ତି।