ପୁରୀରେ ୧୦୭୫ କୋଟି ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପ

ପୁରୀ ଜିଲ୍ଲା ଗସ୍ତରେ ଅଛନ୍ତି ୫-ଟି ସଚିବ ଶ୍ରୀ. ଭି.କେ ପାଣ୍ଡିଆନ

ପୁରୀ ଗସ୍ତରେ ୫-ଟି ସଚିବ

ଭୁବନେଶ୍ଵର, ୧୮/୮: ପୁରୀ ଜିଲ୍ଲା ଗସ୍ତରେ ଅଛନ୍ତି ୫-ଟି ସଚିବ ଶ୍ରୀ. ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ. ଭି.କେ ପାଣ୍ଡିଆନ ପୁରୀ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନସାଧାରଣଙ୍କ ଅଭିଯୋଗର ସମାଧାନର ସମୀକ୍ଷା କରିଛନ୍ତି।

କମଳେଶ୍ୱର ମନ୍ଦିର, କୃଷ୍ଣପ୍ରସାଦ ପରିଦର୍ଶନ କରି ଶ୍ରଦ୍ଧାଳୁଙ୍କ ଉନ୍ନତ ସୁବିଧା ସହ ମନ୍ଦିରର ବିକାଶ ପାଇଁ ସେବାୟତ, ଟ୍ରଷ୍ଟି ସଦସ୍ୟ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିବା ସହ ମନ୍ଦିରର ରୂପାନ୍ତର ଓ ଆନୁଷଙ୍ଗିକ ତୀର୍ଥଯାତ୍ରୀ/ ପର୍ଯ୍ୟଟନ ସୁବିଧା ସମ୍ପର୍କରେ ପରାମର୍ଶ ନେଇଥିଲେ। ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପାଣ୍ଡିଆନ କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପିପିଲି, ଡେଲାଙ୍ଗ, ପୁରୀ, ଗୋପ, ସତ୍ୟବାଦୀ ବ୍ଲକରେ ୧୦୭୫ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ। ଡିସେମ୍ବର ୨୦୨୩ରୁ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ। ପ୍ରକଳ୍ପଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ରହିଛି ଏବଂ କାର୍ଯ୍ୟର ଗୁଣବତ୍ତା ଏବଂ ଠିକ୍ ସମୟରେ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପିପିଲିରେ ଶ୍ରୀ ପାଣ୍ଡିଆନ ଚାନ୍ଦୁଆ ଶ୍ରମିକଙ୍କ ଜୀବିକା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ ଉନ୍ନୟନ ମୂଳକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ପୁରୀରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ୫୧ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାର ୪୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩୫ଟି ଡିଗ୍ରୀ କଲେଜକୁ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ସମ୍ପର୍କରେ ଅବଗତ କରାଇଥିଲେ। ଭଲ ପାଠ ପଢିବା ସହ କଠିନ ପରିଶ୍ରମ କରି ନିଜ ସ୍ୱପ୍ନ କୁ ସାକାର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ ।

ଏହି ଅବସରରେ ସେ ପିପିଲି, କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀରେ ଜନଅଭିଯୋଗ ସଭାରେ ଯୋଗ ଦେଇଥିଲେ। ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗରିକଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଆଇଜି ଆଶିଷ କୁମାର ସିଂହ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ ପି କନୱର ବିଶାଲ ସିଂହ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।