ନୟାଗଡ଼ର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ବାଗତ ସମାରୋହ

ନୟାଗଡ଼ର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ବାଗତ ପୂର୍ବତନ ଜିଲ୍ଲାପାଳଙ୍କୁ ବିଦାୟୀ

ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦଙ୍କ ଯୋଗଦାନ

ନୟାଗଡ଼: କାଲି ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ବାଗତ ଓ ବିଦାୟୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାପାଳ ପ୍ରଥମେ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ କାର‌୍ୟ୍ୟକ୍ଷେତ୍ରରେ ଅତ୍ୟନ୍ତ ଦକ୍ଷତା ଓ ପାରଦର୍ଶିତା ପ୍ରତିପାଦନ କରିଥିବାର ସୂଚନା ଦେଇଥିଲେ । କାର‌୍ୟ୍ୟକ୍ଷେତ୍ରରେ ଆସୁଥିବା ଅତ୍ୟନ୍ତ ଜଟିଳ ସମସ୍ୟାକୁ ଅତି ସରଳ ଭାବେ ସମାଧାନ କରିପାରୁଥିଲେ । ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲିପ କୁମାର ବଳଙ୍କ ଠାରୁ ଜିଲ୍ଲା ସେହି ଆଶା ମଧ୍ୟ ରଖୁଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ତାଙ୍କ ବିଦାୟୀ ଭାଷଣରେ କହିଲେ ଯେ, ମୁଁ ଏହି ଜିଲ୍ଲାରେ ପ୍ରାୟ ୩ବର୍ଷ ୧୦ମାସ କାମ କରିଛି । ଏହା ମୋର ସେବା ଜୀବନରେ ଗୋଟିଏ ସ୍ଥାନରେ ଦୀର୍ଘତମ ସମୟ । ନୟାଗଡ଼ ଜିଲ୍ଲାରେ କାର‌୍ୟ୍ୟ କରିବାର ସମୟ ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ । କର୍ମଚାରୀମାନେ କହିଲେ ଯେ, ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ମହୋଦୟ ନୟାଗଡ଼ ଜିଲ୍ଲାକୁ ଜିଲ୍ଲାପାଳ ହୋଇ ଆସିଲେ ଆମ୍ଭେମାନେ ଅତ୍ୟନ୍ତ ଖୁସି ହେବୁ । ଜିଲ୍ଲା ପରିଷଦର ସୃଜନ ସଭାଗୃହ ଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲିପ କୁମାର ବଳ, ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁଚାରୁ କୁମାର ବଳଙ୍କୁ ସ୍ବାଗତ ଏବଂ ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ରାୟଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦାୟୀ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାୟ ବିଦାୟ ସମ୍ବର୍ଦ୍ଧନାରେ ଅତ୍ୟନ୍ତ ଉଦ୍ବୁଦ୍ଧ ଏବଂ ଅଭିଭୂତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବଳ ଯେଉଁ ବାଂଚାରେ ଶ୍ରୀ ରାୟ କାର‌୍ୟ୍ୟ କରୁଥିଲେ ତାହାକୁ ବଜାୟ ରଖିବେ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ଲାଇନ ବିଭାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।