୨୦୨୪ରୁ ଖୋର୍ଦ୍ଧାରେ ମେଗା ପାଇପ୍ ଜଳ ଯୋଗାଣ

୫-ଟି ସଚିବ ଭି.କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ

ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ୫ଟି ସଚିବ

ଭୁବନେଶ୍ଵର, ୨୨/8: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ. ଭି.କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନସାଧାରଣଙ୍କ ଅଭିଯୋଗର ସମାଧାନ ର ସମୀକ୍ଷା କରିଥିଲେ।

ବେଗୁନିଆ, ବୋଲଗଡ଼, ଟାଙ୍ଗୀ, ଖୋର୍ଦ୍ଧା, ବାଣପୁର ଓ ଚିଲିକା ବ୍ଲକରେ ୯୨୨ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ୨୦୨୪ ଜାନୁଆରିରୁ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ। କାର୍ଯ୍ୟର ଗୁଣବତ୍ତା ଏବଂ ଠିକ୍ ସମୟରେ ଶେଷ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀ ପାଣ୍ଡିଆନ ଟାଙ୍ଗୀଠାରେ ୧୯ କୋଟି ଟଙ୍କା ବ୍ୟୟରେ ଉଗ୍ରତାର ଶକ୍ତି ପିଠା ମନ୍ଦିରର ସମନ୍ବିତ ବିକାଶ ଯୋଜନାର ଅଗ୍ରଗତି ଓ ବାଣପୁରରେ ୧୯ କୋଟି ଟଙ୍କା ବ୍ୟୟରେ ମା’ ଭଗବତୀ ମନ୍ଦିରର ବିକାଶର ଅଗ୍ରଗତି ସମୀକ୍ଷା କରିଥିଲେ।

ଟାଙ୍ଗୀର କାଲୁପଡ଼ାଘାଟ ଓ ଚିଲିକାର ସୋରଣାଠାରେ ୩୫ କୋଟି ଟଙ୍କା ବ୍ୟୟରେ ମାଛ ଅବତରଣ କେନ୍ଦ୍ର ନିର୍ମାଣ, ବାଣପୁରରେ ୭ କୋଟି ଟଙ୍କା ବ୍ୟୟରେ ନୂଆ ସିଏଚ୍ସି ନିର୍ମାଣ, ବାଣପୁର ଓ ବାଲୁଗାଁରେ ୧୨ କୋଟି ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ୨୦୨୩ ଅଗଷ୍ଟରୁ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବ।

ବାଲୁଗାଁ ଏନ୍ଏସି ଓ ବାଣପୁର ଏନଏସିକୁ ୧୬ କୋଟି ଟଙ୍କା ବ୍ୟୟରେ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ଉଭୟ ଏନ୍ଏସିରେ ଜଳ ଯୋଗାଣ ସମସ୍ୟାର ସମାଧାନ ହେବ।

ଟାଙ୍ଗୀ ବ୍ଲକରେ ୫୮ କୋଟି ଟଙ୍କା ବ୍ୟୟରେ ନିରାକାରପୁର ଫ୍ଲାଇ ଓଭରବ୍ରିଜ ନିର୍ମାଣ ଓ ବୋଲଗଡ଼ଠାରେ ୫୨ କୋଟି ଟଙ୍କା ବ୍ୟୟରେ ନୂତନ ୧୩୨/୩୩ କେଭି ଗ୍ରିଡ୍ ସବ ùÁସନ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ପାଣ୍ଡିଆନ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହାଦ୍ୱାରା ବୋଲଗଡ଼ ଓ ବେଗୁନିଆ ବ୍ଲକରେ ଲୋ ଭୋଲ୍ଟେଜ୍ ସମସ୍ୟା ଦୂର ହେବ।

ଖୋର୍ଦ୍ଧାରେ ମିଶନ ଶକ୍ତି ଗ୍ରୁପ୍ ସହ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟକଳାପ ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ ଖୋର୍ଦ୍ଧାସ୍ଥିତ ମିଶନ ଶକ୍ତି କାଫେ ପରିଦର୍ଶନ କରି ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ମହିଳା ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବିନା ସୁଧରେ ଋଣ ବାବଦରେ ସଚେତନତା ସୃଷ୍ଟି କରିବା ସହ ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ ସେ ବେଗୁନିଆ, ଖୋର୍ଦ୍ଧା ଓ ବାଣପୁରରେ ଜନଅଭିଯୋଗ ସଭାରେ ଅଂଶଗ୍ରହଣ କରିଥିଲେ। ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗରିକଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଖୋର୍ଦ୍ଧାରେ କିଛି ଆବେଦନକାରୀଙ୍କ ଜମି ପଟ୍ଟା ସମାଧାନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଏ ସଂକ୍ରାନ୍ତରେ ଶୀଘ୍ର ସମାଧାନ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଆଇଜି ଆଶିଷ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଡିଏମ୍ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସ୍ ପି ସିଦ୍ଧାର୍ଥ କଟାରିଆ ଓ ଅନ୍ୟ ାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କ ସହ ଥିଲେ।