ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।

ଖୁବଶୀଘ୍ର ଶେଷ ହେବ ଚୟନ ପ୍ରକ୍ରିୟା

ଭୁବନେଶ୍ବର: ଚଳିତବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ଏନେଇ ପ୍ରଥମ ରାଜ୍ୟସ୍ତରୀୟ କମିଟି ବୈଠକ ଗୁରୁବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଅଶ୍ୱଥୀ ଏସ୍‌‌ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ଅଶ୍ୱଥୀ କହିଥିଲେ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଛାତ୍ରଛାତ୍ରୀ ମେଧାବୀ ପୁରସ୍କାର ଓ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀଙ୍କ ତାଲିକାକୁ ବୈଠକରେ ଉପସ୍ଥାପିତ କରାଯାଇଥିଲା। ଏହା ସହ ଚୟନ ପ୍ରକ୍ରିୟା ମଧ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ସୂଚନା ମିଳିଛି।