ଗିରଫ ହେଲେ ଲାଞ୍ଚୁଆ ଆକାଉଣ୍ଟାଣ୍ଟ

ବଲାଙ୍ଗୀର ଜିଲ୍ଲା ସଇଁତଳାସ୍ଥିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ-କମ-ସପୋର୍ଟିଂ ଷ୍ଟାଫ୍ ଅଜୟ ଖୁଣ୍ଟିଆଙ୍କୁ ଭିଜିଲାନ୍ସ ଗିରଫ କରିଛି।

ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳାସ୍ଥିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ-କମ-ସପୋର୍ଟିଂ ଷ୍ଟାଫ୍ (ଚୁକ୍ତିଭିତ୍ତିକ) ଅଜୟ ଖୁଣ୍ଟିଆଙ୍କୁ ଗିରଫ କରିଛି ଭିଜିଲାନ୍ସ। ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ। ଜାତୀୟ ପେନସନ ଯୋଜନାର କାର୍ଯ୍ୟ ଫାଇଲ ପ୍ରକ୍ରିୟାକରଣ ଏବଂ ବକେୟା ଡିଏ (ମହଙ୍ଗା ଭତ୍ତା) ପ୍ରଦାନ ପାଇଁ ଅଭିଯୋଗକାରୀ (ସହକାରୀ ଶିକ୍ଷକ)ଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ବେଳେ ଭିଜିଲାନ୍ସ ଶୁକ୍ରବାର ଗିରଫ କରିଛି। ଅଭିଯୁକ୍ତ ଖୁଣ୍ଟିଆଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଅଭିଯୁକ୍ତଙ୍କ ଗିରଫ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଖୁଣ୍ଟିଆଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଧାରା ୭ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ ୨୦୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।