ନରେନ୍ଦ୍ର ମୋଦିଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ ଦି ଅର୍ଡର ଅଫ ଅନର

ସ୍ୱତନ୍ତ୍ର ଗ୍ରାଣ୍ଡ କ୍ରସ୍ ଅଫ ଦି ଅର୍ଡର ଅଫ ଅନରରେ ମୋଦିଙ୍କୁ ସମ୍ମାନିତ କରିଛନ୍ତି ଗ୍ରୀକ ରାଷ୍ଟ୍ରପତି କାଟ୍ରିନା ଏନ ସାକେଲାରୋପୋଲୁ ।

୪୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗ୍ରୀସ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ଗ୍ରୀସର ସ୍ୱତନ୍ତ୍ର ସମ୍ମାନ । ଭାରତ-ଗ୍ରୀସ୍ ଭାଗିଦାରୀର ଶକ୍ତିକୁ ପ୍ରତିଫଳିତ କରୁଥିବା ସ୍ୱତନ୍ତ୍ର ଗ୍ରାଣ୍ଡ କ୍ରସ୍ ଅଫ ଦି ଅର୍ଡର ଅଫ ଅନରରେ ମୋଦିଙ୍କୁ ସମ୍ମାନିତ କରିଛନ୍ତି ଗ୍ରୀକ ରାଷ୍ଟ୍ରପତି କାଟ୍ରିନା ଏନ ସାକେଲାରୋପୋଲୁ । ଏକ ଟ୍ୱିଟରେ ମୋଦି ରାଷ୍ଟ୍ରପତି ସାକେଲାରୋପୋଲୁ, ଗ୍ରୀସ ସରକାର ଏବଂ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗ୍ରୀକ୍ ରାଷ୍ଟ୍ରପତି ଏହି ସମ୍ମାନ କୌଣସି ଦେଶର ପ୍ରଧାନମନ୍ତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ପ୍ରଦାନ କରନ୍ତି, ଯେଉଁମାନେ ସେମାନଙ୍କର ସ୍ୱତନ୍ତ୍ର ପଦବୀ କାରଣରୁ ଗ୍ରୀସର ମର୍ଯ୍ୟାଦା ବୃଦ୍ଧି କରିବାରେ ଅବଦାନ ଦେଇଛନ୍ତି ।
ଗ୍ରୀସ ପ୍ରଧାନମନ୍ତ୍ରୀ କିରିଆକୋସ ମିତ୍ସୋତାକିସଙ୍କ ନିମନ୍ତ୍ରଣକ୍ରମେ ମୋଦି ଦକ୍ଷିଣଆଫ୍ରିକାରୁ ବ୍ରିକ୍ସ ସମ୍ମୀଳନୀ ସାରି ଗ୍ରୀସର ରାଜଧାନୀ ଏଥେନ୍ସରେ ଯାଇ ପହଂଚିଥିଲେ । ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ । ଶେଷଥର ପାଇଁ ୧୯୮୩ ମସିହା ସେପ୍ଟେମ୍ବର ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗ୍ରୀସ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫ୍ରାନ୍ସ, ସାଉଦି ଆରବ, ଆମେରିକା, ବାହାରିନ ଏବଂ ଋଷିଆ ପରି ଦେଶ ସମ୍ମାନିତ କରି ସାରିଛନ୍ତି ।