ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଭାବେ ଘୋଷଣା

ବେଙ୍ଗାଲୁରୁ ଇସ୍ରୋ କେନ୍ଦ୍ରରେ ଚନ୍ଦ୍ରଯାନ-୩ ଟିମ୍ କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି।

ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ପଏଣ୍ଟର ସ୍ଥାନ ‘ଶିବଶକ୍ତି’

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଇସ୍ଟ୍ରାକ୍)ରେ ପହଞ୍ଚି ଐତିହାସିକ ଚନ୍ଦ୍ରଯାନ-୩ ଅଭିଯାନର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିଯାନ ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି।

ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ଜୋହାନ୍ସବର୍ଗରୁ ଚନ୍ଦ୍ରଯାନ-୩ ଲ୍ୟାଣ୍ଡରର ସଫଳ ଚନ୍ଦ୍ର ସ୍ପର୍ଶକୁ ଭର୍ଚୁଆଲ ଭାବେ ଦେଖିଥିଲେ। ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀ ଏବଂ ପ୍ରଥମ ଗ୍ରୀସ ଗସ୍ତ ପରେ ଗ୍ରୀସର ରାଜଧାନୀ ଏଥେନ୍ସରୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି)ରେ ପହଞ୍ଚି ଚନ୍ଦ୍ରଯାନ-୩ ଅଭିଯାନର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏବଂ ଅନ୍ୟ ବୈଜ୍ଞାନିକମାନେ ଇସ୍ଟ୍ରାକରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣମାନେ ସମସ୍ତେ ଯାହା ହାସଲ କରିଛନ୍ତି ତାହା ଏହି ଯୁଗର ସବୁଠାରୁ ପ୍ରେରଣାଦାୟକ ମୁହୂର୍ତ୍ତ। ଏହି ସଫଳତା ପରେ ସମଗ୍ର ବିଶ୍ୱ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ଦକ୍ଷତାକୁ ବୁଝିପାରିଛି। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ, “ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ”। କେବଳ ଭାରତୀୟ ନୁହଁନ୍ତି, ବିଜ୍ଞାନରେ ବିଶ୍ୱାସ ରଖୁଥିବା ସମଗ୍ର ବିଶ୍ୱରେ ଲୋକମାନେ ଉତ୍ସାହରେ ଭରି ରହିଛନ୍ତି । ମୁଁ ସ୍ଥିର କଲି ଯେ ଭାରତ ଫେରିବା ପରେ ମୁଁ ବେଙ୍ଗାଲୁରୁ ଯାଇ ଚନ୍ଦ୍ରଯାନ-୩ ର ସଫଳତା ପଛରେ ଥିବା ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବି।

ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି)ରେ ଇସ୍ରୋ ଟିମ୍କୁ ସମ୍ବୋଧିତ କରିବା ସମୟରେ ସେ ୨୦୧୯ରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିବା ସ୍ଥାନର ମଧ୍ୟ ଘୋଷଣା କରିଥିଲେ। ଦୁର୍ଘଟଣାଗ୍ରସ୍ତ ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ଏବଂ ଚନ୍ଦ୍ରଯାନ-୩ର ଚନ୍ଦ୍ର ଲ୍ୟାଣ୍ଡର ଯେଉଁ ସ୍ଥାନରେ ଅବତରଣ କରିଥିଲା, ସେହି ସ୍ଥାନକୁ ‘ଶିବଶକ୍ତି’ କୁହାଯିବ ବୋଲି ସେ କହିଛନ୍ତି। ମହିଳା ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ଶିବଶକ୍ତି ପଏଣ୍ଟ ଆଗାମୀ ପିଢ଼ିଙ୍କୁ ବିଜ୍ଞାନକୁ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବାକୁ ପ୍ରେରଣା ଯୋଗାଇବ। ଲୋକଙ୍କ କଲ୍ୟାଣ ହେଉଛି ଆମର ସର୍ବୋଚ୍ଚ ପ୍ରତିବଦ୍ଧତା। ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଦିନ ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।