ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତରେ ଯିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତରେ ଯିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୬ରୁ ୭ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସଂଘ ସହ ଦେଶର ବାଣିଜ୍ୟ ଓ ନିରାପତା ସମ୍ପର୍କକୁ ସୁଦୃଢ କରିବେ ମୋଦି । ଏ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣ କ୍ରମେ ମୋଦି ସେପ୍ଟେମ୍ବର ୬ରେ ଜାକର୍ତା ଗସ୍ତ କରିବେ । ଏସିଆନର ବର୍ତମାନର ଅଧ୍ୟକ୍ଷ ଭାବରେ ଇଣ୍ଡୋନେସିଆ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ୨୦୨୨ରେ ଭାରତ-ଏସିଆନ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବା ପରେ ଏହା ଭାରତର ପ୍ରଥମ ଏସିଆନ ଶିଖର ସମ୍ମିଳନୀରେ ଯୋଗ ଦାନ । ଏହି ଶିଖର ସମ୍ମିଳନୀ ଭାରତ-ଏସିଆନ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିବ ଏବଂ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିବ ।