ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଛନ୍ତି ।

ସନାତମ ଧର୍ମ ଉପରେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ତାମିଲନାଡୁ ସରକାରଙ୍କ କ୍ରୀଡାମନ୍ତ୍ରୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ସୁପ୍ରିମ କୋର୍ଟର ଜଣେ ଓକିଲ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ଆଇନଜୀବୀ ବିନୀତ୍ ଜିନ୍ଦଲ ଅଭିଯୋଗରେ କହିଛନ୍ତି, ଉଦୟନିଧି ଏକ ଭାଷଣରେ ସନାତନଧର୍ମ ବିରୋଧରେ ଉତେଜନାମୂଳକ ଏବଂ ଅପମାନଜନକ ବୟାନ ଦେଇଥିଲେ । ଜଣେ ହିନ୍ଦୁ ଓ ସନାତନ ଧର୍ମର ଅନୁଗାମୀ ହୋଇଥିବାରୁ ଉଦୟନିଧି ସନାତନ ଧର୍ମକୁ ଉଚ୍ଛେଦ କରିବା ଏବଂ ମଶା, ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ସହିତ ତୁଳନା କରିବା ବୟାନ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତାଙ୍କ ଭଳି ଜଣେ ବିଧାୟକ, ମନ୍ତ୍ରୀ ଏବଂ ଆମ ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି କିନ୍ତୁ ଧର୍ମ ଆଧାରରେ କୌଣସି ଧାର୍ମିକ ଘୃଣା ସୃଷ୍ଟି କରିବା ଠିକ ନୁହେଁ । ସେ ଜାଣିଶୁଣି ସନାତନ ଧର୍ମ ପାଇଁ ଏକ ଉତେଜନାମୂଳକ ଏବଂ ଅପମାନଜନକ ବୟାନ ଦେଇଛନ୍ତି ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି ।
ସୂଚନାଯୋଗ୍ୟ, ଉଦୟନାଥ ଷ୍ଟାଲିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନାତନ ଉଚ୍ଛେଦ ସମ୍ମିଳନୀ ଡାକରା ଦେଇଥିଲେ । ‘‘ ସନାତନ ଧର୍ମର ବିରୋଧ କରିବା ପରିବର୍ତେ ଉଚ୍ଛେଦ କରିବାକୁ ପଡିବ । ମଶା, ଡେଙ୍ଗୁ, ମ୍ୟାଲେରିଆ ଓ କରୋନା ଭଳି ଏହା ଏମିତି ଏକ ଜିନିଷ ଯାହାକୁ ଆମେ କେବଳ ବିରୋଧ କଲେ ଚଳିବ ନାହିଁ, ବରଂ ଆମକୁ ଏହାକୁ ନିପାତ କରିବାକୁ ପଡିବ । ସନାତନ ଧର୍ମ ଉଭୟ ସମାନତା ଏବଂ ସାମାଜିକ ନ୍ୟାୟକୁ ବିରୋଧ କରୁଛି ।’’