୧୮୧ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଗାଡ଼ିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭ୍ରାମ୍ୟମାଣ ୟୁନିଟ୍ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଘରେ ଘରେ ସ୍ୱାସ୍ଥ୍ୟସେବା, ପଶୁପାଳନ ସେବା ଯୋଗାଇ ଦେବେ

ଭୁବନେଶ୍ଵର, ୦୮/୦୯/୨୦୨୩: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୧ଟି ଭ୍ରାମ୍ୟମାଣ ୟୁନିଟ୍ ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା’ ଅଧୀନରେ ପଶୁପକ୍ଷୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ନୂତନ ଯାନ ବ୍ୟବହାର କରାଯିବ।

ଏକ ଭିଡିଓ ବାର୍ତ୍ତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୃହପାଳିତ ପଶୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଗୁଡ଼ିକ କାର୍ଯ୍ୟ କରୁଛନ୍ତି ଏବଂ ପ୍ରାଣୀ ଚିକିତ୍ସା ଅନୁଷ୍ଠାନଠାରୁ ଦୂରସ୍ଥାନରେ ଥିବା ଗ୍ରାମଗୁଡ଼ିକରେ ପଶୁପାଳକ ଏବଂ କୃଷକମାନଙ୍କୁ ଯୋଗାଇ ଦିଆଯାଉଛି। ପଶୁସମ୍ପଦ ଚାଷୀଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା, ସେମାନଙ୍କ ଆୟ ବଢ଼ାଇବା ଏବଂ ମୁହଁରେ ହସ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ପଶୁ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀଙ୍କ ବିକାଶର ପରବର୍ତ୍ତୀ ସ୍ତର ଭାବରେ ଚିହ୍ନଟ କରାଯାଇଛି । ଗ୍ରାମୀଣ ଲୋକଙ୍କ ପଶୁ ସ୍ୱାସ୍ଥ୍ୟ ଏବଂ ଜୀବିକା ପରିଚାଳନା ପାଇଁ ପ୍ରାଣୀ ଚିକିତ୍ସା ସ୍ୱାସ୍ଥ୍ୟ ଏବଂ ପରାମର୍ଶଦାତା ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ପୂର୍ବରୁ ଭଡ଼ା ଗାଡ଼ି ମାଧ୍ୟମରେ କାର୍ଯ୍ୟ କରୁଥିଲା। ବର୍ତ୍ତମାନ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ସମସ୍ତ ଜିଲ୍ଲାରେ ୧୮୧ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଳୟରେ ବ୍ୟବହାର ପାଇଁ ନିଜସ୍ୱ ଗାଡ଼ି ଯୋଗାଇ ଦେଇଛନ୍ତି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ କୃଷକମାନଙ୍କ ପାଇଁ ସଚେତନତା ଶିବିର ଆୟୋଜନ କରିବା ସହିତ ମୌଳିକ ପଶୁ ସ୍ୱାସ୍ଥ୍ୟ ସେବା, ଜଟିଳ ଅସ୍ତ୍ରୋପଚାର, ଟିକାକରଣ ଏବଂ ପଶୁସମ୍ପଦ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ କୃଷକମାନଙ୍କୁ ପ୍ରାଣୀ ଚିକିତ୍ସା ସେବା ଏବଂ ପଶୁପାଳନ ପରାମର୍ଶଦାତା ସେବା ପ୍ରଦାନ କରିବ । ପଶୁଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଗୁଡ଼ିକ ଆବଶ୍ୟକ ସମୟରେ ଆନିମଲ୍ ହେଲ୍ପଲାଇନ୍ ମାଧ୍ୟମରେ ବୁଲା ଓ ପରିତ୍ୟକ୍ତ ପଶୁମାନଙ୍କୁ ଜରୁରୀକାଳୀନ ପ୍ରାଣୀ ଚିକିତ୍ସା ସେବା ପ୍ରଦାନ କରିବେ।

ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଗୁଡ଼ିକରେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଗ୍ଲୋବାଲ ପୋଜିସନିଂ ସିଷ୍ଟମ ବ୍ୟବହାର କରି ଗାଡିଗୁଡିକର ଅବସ୍ଥାନ ଟ୍ରାକ୍ କରାଯିବ। ଏଭଳି ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଆମ ସରକାରଙ୍କ ‘୫ଟି’ କାର୍ଯ୍ୟକ୍ରମ ଆଧାରିତ ୟୁନିଟ୍ ଗୁଡ଼ିକର ପରିଚାଳନାରେ ସ୍ୱଚ୍ଛତା ଆସିବ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ରାଜ୍ୟରେ ପଶୁ ସମ୍ପଦର ବିକାଶକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇବାରେ ସକ୍ଷମ ହେବ।

ଏହି ଅବସରରେ ସଚିବ (୫ଟି) ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗପ୍ରମୁଖ ଶାସନ ସଚିବ ଏବଂ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦେଶକ ଉପସ୍ଥିତ ଥିଲେ।