ରାଜ୍ୟର ସଫଳତାରେ ଖୁସି ହେବା ଶିଖୁ ବିଜେପି: ବିଜେଡି

ଓଡିଶାର ସଫଳତାରେ ଖୁସି ହେବାକୁ ବିଜେଡିର ପରାମର୍ଶ

ହକି ବିଶ୍ୱକପ୍‍ ଆୟୋଜନ ରାଜ୍ୟ ପାଇଁ ଗୌରବ ଆଣିଥିଲା

ଭୁବନେଶ୍ୱର, ୧୦/୦୯/୨୦୨୩: ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସମେତ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ। କିନ୍ତୁ ଓଡ଼ିଶା ବିଜେପିର ପ୍ରତିକ୍ରିୟା ଏପରି ଥିଲା ଯେମିତିକି ଏକ ବଡ ଧରଣର ଦୁଃଖଦ ଓ ଖରାପ
ଘଟଣା ଘଟିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ରାଜ୍ୟ ଓ ଦେଶ ପାଇଁ କୌଣସି ଭଲ ଘଟଣା ଘଟିଲେ କେତେ ଖୁସି ଲାଗେ ତାହା ବିଜୁ ଜନତା ଦଳକୁ ଓଡ଼ିଶା ବିଜେପି ନଶିଖାଉ।

ରାଷ୍ଟ୍ର ନିର୍ମାଣ ଓ ରାଜ୍ୟ ନିର୍ମାଣ ପାଇଁ ହେଉଥିବା କଲ୍ୟାଣମୂଳକ କାର୍ଯ୍ୟରେ ସବୁବେଳେ ଅଧିକ ଖୁସି ବ୍ୟକ୍ତ କରିଥାନ୍ତି ବିଜୁ ଜନତା ଦଳର କର୍ମୀ। ଓଡ଼ିଶାରେ ଯେତେବେଳେ କିଛି ଭଲ କାମ ହେଉଛି ସେତେବେଳେ ରାଜ୍ୟ ବିଜେପିର କର୍ମୀ ଓ ନେତା ଦୁଃଖିତ ନହୋଇ ଖୁସି ହୁଅନ୍ତୁ ବୋଲି ଆମେ ଅନୁରୋଧ କରୁଥିବା ଡକ୍ଟର ମହାନ୍ତି
କହିଛନ୍ତି।