ବ୍ରାଜିଲକୁ ଜି-୨୦ ଅଧ୍ୟକ୍ଷତା ପଦ ହସ୍ତାନ୍ତର

ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀର ଆଜି ସମାପ୍ତ ହୋଇଛି ।

ଜି-୨୦ ମହାକୁମ୍ଭ ସମାପ୍ତ

ନୂଆଦିଲ୍ଲୀ,୧୦/୯: ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀର ଆଜି ସମାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଦାୟିତ୍ୱ ବ୍ରାଜିଲକୁ ହସ୍ତାନ୍ତର କରିଛନ୍ତି । ବ୍ରାଜିଲର ଅଧ୍ୟକ୍ଷତାରେ ଜି-୨୦ ଗୋଷ୍ଠୀର ସାଧାରଣ ଏଜେଣ୍ଡାକୁ ଆଗକୁ ବଢାଇବ ବୋଲି ମୋଦି ଆଶା ବ୍ୟକ୍ତ କରିଛନ୍ତି । ଏହି ଅବସରରେ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡି ସିଲଭାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତବର୍ଷ ବାଲି ଶିଖର ସମ୍ମିଳନୀରେ ଇଣ୍ଡୋନେସିଆଠାରୁ ଭାରତ ଜି-୨୦ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲା ।
ଜି-୨୦ ଶିଖର ସମ୍ମିଳନୀ ବନ୍ଦ ହେବା ନେଇ ଘୋଷଣା କରିବା ଅବସରରେ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଆପଣମାନେ ଜାଣିଛନ୍ତି ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ଭାରତ ଜି-୨୦ ସଭାପତି ଦାୟିତ୍ୱରେ ଅଛି । ଏହି ଦୁଇ ଦିନରେ ଆପଣମାନେ ସମସ୍ତେ ଅନେକ ପରାମର୍ଶ ଦେବା ସହ କେତେଗୁଡେ ପ୍ରସ୍ତାବ ମଧ୍ୟ ରଖିଛନ୍ତି । ଏହା ଆମର କର୍ତବ୍ୟ ଯେ, ଆପଣମାନଙ୍କ ପରାମର୍ଶକୁ ସମୀକ୍ଷା କରି ସେଗୁଡିକର ଅଗ୍ରଗତି କିପରି ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବୁ । ମୁଁ ପ୍ରସ୍ତାବ ଦେଉଛି ଯେ ନଭେମ୍ବର ଶେଷରେ ଆମେ ଜି-୨୦ର ଭର୍ଚୁଆଲ ଅଧିବେଶନ ଆୟୋଜନ କରିବୁ । ଏହି ଶିଖର ସମ୍ମିଳନୀରେ ସ୍ଥିର ହୋଇଥିବା ବିଷୟଗୁଡିକର ଆମେ ସେହି ଭର୍ଚୁଆଲ ଅଧିବେଶନରେ ସମୀକ୍ଷା କରିବା । ମୁଁ ଆଶା କରୁଛି ଯେ, ଆପଣମାନେ ସମସ୍ତେ ଭର୍ଚୁଆଲ ଅଧିବେଶନରେ ଯୋଡି ହେବେ । ଏହା ସହିତ ମୁଁ ଜି-୨୦ ଶିଖର ସମ୍ମିଳନୀର ସମାପ୍ତି ଘୋଷଣା କରୁଛି ।