ଖୋର୍ଦ୍ଧାରେ ଡେଙ୍ଗୁ ରୋଗୀ ସର୍ବାଧିକ

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ ହେଉଛନ୍ତି।

ସାମାନ୍ୟ ଚିକିତ୍ସାରେ ବି ଭଲ ହେବେ

ଭୁବନେଶ୍ୱର,୧୨/୯: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢି ଚାଲିଛି। ଦୈନିକ ୨୦୦ରୁ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ସରକାରୀ ଡାକ୍ତରଖାନାରେ ରୋଗୀମାନେ ଆଡମିଟ ହେଲେ ବି ମିଳୁନି ବେଡ୍। ଡେଙ୍ଗୁ ରୋଗୀଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହୁଛି।

ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନିରଞ୍ଜନ ମିଶ୍ର ପ୍ରତିକ୍ରିୟାରେ କହିଛନ୍ତି, ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି, ବର୍ଷା ଛାଡ଼ିଲେ ପାଗ ଶୁଖିଲା ରହିଲେ ରୋଗ ଆପେ କମିଯିବ। ରାଜ୍ୟରେ ବର୍ତ୍ତମାନ ୫ ହଜାର ୯୭ ପଜିଟିଭ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୨୧୩୩ ଚିହ୍ନଟ ହୋଇଛନ୍ତି। ପୁରୀରୁ ୫୫୫, କଟକରୁ ୫୨୦, ବାଲେଶ୍ବର ୪୭୩ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଡେଙ୍ଗୁ ଲକ୍ଷଣ ଦେଖାଗଲେ କିମ୍ବା ପଜିଟିଭ ଚିହ୍ନଟ ହେଲେ ବି ଭୟଭୀତ ହେବାର ନାହିଁ। ସାମାନ୍ୟ ଚିକିତ୍ସାରେ ବି ୯୮% ଲୋକ ଡେଙ୍ଗୁରୁ ଭଲ ହୋଇପାରିବେ। ପ୍ଲେଟଲେଟ୍ ୨୦ ହଜାର ଯାଏଁ କମିଲେ ବି ବ୍ୟସ୍ତ ନ ହୋଇ ଉପଯୁକ୍ତ ଚିକିତ୍ସା କଲେ ଭଲ ହୋଇଯିବେ ବୋଲି ଡ଼ଃ ମିଶ୍ର ପରାମର୍ଶ ଦେଇଛନ୍ତି।