୪୦% ସାଂସଦଙ୍କ ନାଁରେ ଅପରାଧିକ ମାମଲା: ଏଡିଆର ରିପୋର୍ଟ

ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ରିପୋର୍ଟ ଅନୁଯାୟୀ କେରଳରେ ସର୍ବାଧିକ ଅପରାଧମୂଳକ ସାଂସଦ ଅଛନ୍ତି।

କେରଳରେ ସର୍ବାଧିକ ଅପରାଧମୂଳକ ସାଂସଦ

ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ୍ (ଏନ୍ଇଓ) ପକ୍ଷରୁ ସାଂସଦମାନଙ୍କ ଅପରାଧିକ ମୂଳ ଓ ସମ୍ପତ୍ତି ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ଗତ ନିର୍ବାଚନ ଲଢ଼ିବା ପୂର୍ବରୁ ସାଂସଦମାନେ ଦାଖଲ କରିଥିବା ସତ୍ୟପାଠରୁ ଏହି ତଥ୍ୟ ସଂଗ୍ରହ କରାଯାଇଛି।

ପ୍ରକାଶିତ ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସରେ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଥିବା ସାଂସଦଙ୍କ ସଂଖ୍ୟା ସର୍ବାଧିକ ରହିଛି। ସଂସଦର ୭୬୩ ଜଣ ସଦସ୍ୟଙ୍କ ମଧ୍ୟରୁ ୩୦୬ ଜଣ (୪୦%) ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି। ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ ୩୨ ଜଣ ସାଂସଦ ‘ହତ୍ୟା ଉଦ୍ୟମ’ ମାମଲା ଘୋଷଣା କରିଛନ୍ତି। ୨୧ ଜଣ ସାଂସଦ ମହିଳାଙ୍କ ବିରୋଧରେ ଅପରାଧ ସଂକ୍ରାନ୍ତ ମାମଲା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସାଂସଦ ଦୁଷ୍କର୍ମ ସମ୍ବନ୍ଧୀୟ ମାମଲା ଘୋଷଣା କରିଛନ୍ତି।

ପ୍ରାୟ ୧୯୪ (୨୫%) ସାଂସଦ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ମହିଳାଙ୍କ ବିରୋଧରେ ଅପରାଧ ଇତ୍ୟାଦି ସମେତ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି। ସତ୍ୟପାଠରେ ଅପରାଧିକ ମାମଲା ଘୋଷଣା କରିଥିବା ସାଂସଦଙ୍କ ତାଲିକାରେ କେରଳ (୭୩%) ଶୀର୍ଷରେ ଥିବା ବେଳେ ବିହାର, ମହାରାଷ୍ଟ୍ର (୫୭%) ଏବଂ ତେଲେଙ୍ଗାନା (୫୦%) ତୃତୀୟ ସ୍ଥାନରେ ରହିଛନ୍ତି। ଗୁରୁତର ଅପରାଧିକ ମାମଲା ଥିବା ସାଂସଦଙ୍କ ମଧ୍ୟରୁ ବିହାରରେ ସର୍ବାଧିକ ୫୦ ପ୍ରତିଶତ, ତେଲେଙ୍ଗାନାରେ ୯ ପ୍ରତିଶତ, କେରଳରେ ୧୦ ପ୍ରତିଶତ, ମହାରାଷ୍ଟ୍ରରେ ୩୪ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୩୭ ପ୍ରତିଶତ ସାଂସଦ ଅଛନ୍ତି।

ଦଳଭିତ୍ତିକ ତଥ୍ୟକୁ ଦେଖିଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ୩୮୫ ସାଂସଦଙ୍କ ମଧ୍ୟରୁ ୧୩୯ (୩୬%), କଂଗ୍ରେସର ୮୧ ସାଂସଦଙ୍କ ମଧ୍ୟରୁ ୪୩ (୫୩%), ତୃଣମୂଳ କଂଗ୍ରେସ (ଟିଏମସି)ର ୩୬ ସାଂସଦଙ୍କ ମଧ୍ୟରୁ ୧୪ (୩୯%), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ୬ ସାଂସଦଙ୍କ ମଧ୍ୟରୁ ୫ (୮୩%), ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) କିମ୍ବା ସିପିଆଇ(ଏମ୍)ର ୮ ଜଣ ସାଂସଦଙ୍କ ମଧ୍ୟରୁ ୬ (୭୫%)। ଆମ୍ ଆଦମୀ ପାର୍ଟି (ଆପ୍)ର ୧୧ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣ (୨୭%), ୱାଇଏସଆରସିପିର ୩୧ ସାଂସଦଙ୍କ ମଧ୍ୟରୁ ୧୩ (୪୨%) ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୮ ଜଣ ସାଂସଦଙ୍କ ମଧ୍ୟରୁ ୩ (୩୮%) ସେମାନଙ୍କ ସତ୍ୟପାଠରେ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି।

ଲୋକସଭା ଏବଂ ରାଜ୍ୟସଭାରୁ ପ୍ରତି ସାଂସଦ ପିଛା ହାରାହାରି ସମ୍ପତ୍ତି ୩୮.୩୩ କୋଟି ଟଙ୍କା ରହିଛି। ଘୋଷିତ ଅପରାଧିକ ମାମଲା ଥିବା ସାଂସଦଙ୍କ ହାରାହାରି ସମ୍ପତ୍ତି ୫୦.୦୩ କୋଟି ଟଙ୍କା ଥିବା ବେଳେ କୌଣସି ଅପରାଧିକ ମାମଲା ନଥିବା ସାଂସଦଙ୍କ ହାରାହାରି ସମ୍ପତ୍ତି ୩୦.୫୦ କୋଟି ଟଙ୍କା ରହିଛି। ତେଲେଙ୍ଗାନା (୨୪ ସାଂସଦ)ଙ୍କ ହାରାହାରି ହାରାହାରି ସମ୍ପତ୍ତି ୨୬୨.୨୬ କୋଟି ଟଙ୍କା ଥିବା ବେଳେ ଆନ୍ଧ୍ରପ୍ରଦେଶ (୩୬ ସାଂସଦ) ହାରାହାରି ସମ୍ପତ୍ତି ୧୫୦.୭୬ କୋଟି ଟଙ୍କା ଏବଂ ପଞ୍ଜାବ (୨୦ ସାଂସଦ)ଙ୍କ ହାରାହାରି ସମ୍ପତ୍ତି ୮୮.୯୪ କୋଟି ଟଙ୍କା ରହିଛି।

ରିପୋର୍ଟ ଅନୁଯାୟୀ, ବିଜେପିର ୩୮୫ ସାଂସଦଙ୍କ ହାରାହାରି ସମ୍ପତ୍ତି ୧୮.୩୧ କୋଟି ଟଙ୍କା, କଂଗ୍ରେସର ୮୧ ସାଂସଦଙ୍କ ହାରାହାରି ସମ୍ପତ୍ତି ୩୯.୧୨ କୋଟି ଟଙ୍କା, ଟିଏମସିର ୩୬ ସାଂସଦଙ୍କ ହାରାହାରି ସମ୍ପତ୍ତି ୮.୭୨ କୋଟି ଟଙ୍କା, ୱାଇଏସଆରସିପିର ୩୧ ଜଣ ସାଂସଦଙ୍କ ହାରାହାରି ସମ୍ପତ୍ତି ୧୫୩.୭୬ କୋଟି ଟଙ୍କା, ୧୬ ତେଲେଙ୍ଗାନା ରାଷ୍ଟ୍ର ସମିତି ସାଂସଦଙ୍କ ହାରାହାରି ସମ୍ପତ୍ତି ୩୮୩.୫୧ କୋଟି ଟଙ୍କା ରହିଛି। ଏନସିପିର ୮ ସାଂସଦଙ୍କ ହାରାହାରି ସମ୍ପତ୍ତି ୩୦.୧୧ କୋଟି ଟଙ୍କା ଥିବା ବେଳେ ଆପର ୧୧ ସାଂସଦଙ୍କ ହାରାହାରି ସମ୍ପତ୍ତି ୧୧୯.୮୪ କୋଟି ଟଙ୍କା ରହିଛି।