ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ

ନୂଆଁଖାଇ ପଶ୍ଚିମ ଓଡିଶାର ଏକ କୃଷିଭିତିକ ଗଣପର୍ବ ।

ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୦୯: ନୂଆଁଖାଇ ପଶ୍ଚିମ ଓଡିଶାର ଏକ କୃଷିଭିତିକ ଗଣପର୍ବ । ‘ନୂଆଁ’ ଅର୍ଥ ‘ନୂଆ’ ଏବଂ ‘ଖାଇ’ ଅର୍ଥ ‘ଖାଇବା’ । ଗଣେଶ ଚତୁର୍ଥୀ ପରଦିନ ଭଦ୍ରପଦ ବା ଭାଦ୍ରବ ମାସର ଚନ୍ଦ୍ର ପକ୍ଷର ପଂଚମୀ ତିଥିରେ ଏହି କୃଷି ପର୍ବ ନୂଆଖାଇ ପାଳନ କରାଯାଏ । ପଶ୍ଚିମ ଓଡିଶାର ସମ୍ବଲପୁର, ବଲାଙ୍ଗୀର, ବରଗଡ, ସୁନ୍ଦରଗଡ, କଳାହାଣ୍ଡି, ଦେବଗଡ, ଝାରସୁଗୁଡା, ବୌଦ୍ଧ ଓ ସୋନପୁର ଜିଲ୍ଲାରେ ଭଲ ଫସଲ, ବର୍ଷା ଓ ଚାଷ ପାଇଁ ଅନୁକୂଳ ପାଣିପାଗ ନିମନ୍ତେ ଲୋକମାନେ ନିଜ ଆରାଧ୍ୟ ନବାନ୍ନ ଦେବୀଙ୍କୁ ପୂଜା କରିଥାନ୍ତି । ଏହି ଦିନ ରୀତିନୀତି ଅନୁଯାୟୀ, ନୂଆ ପୋଷାକ ପିନ୍ଧି ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜା କରି ପୂରା ପରିବାର ଏକାଠି ହୋଇ ଭୋଜନ କରିଥାନ୍ତି ।
ନୂଆଁଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘‘କୃଷିଭିତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।’’ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘‘କୃଷିଭିତିକ ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ମା ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ।’’