ସେପ୍ଟେମ୍ବର ୨୫ରୁ ଆଇଡିସିଏ ଟି-୨୦ ଜାତୀୟ କ୍ରିକେଟ

ସେପ୍ଟେମ୍ବର ୨୫ ତାରିଖରୁ ଭୁବନେଶ୍ୱରରରେ ଆଇଡିସିଏ ଟି-୨୦ ଜାତୀୟ କ୍ରିକେଟ ଅନୁଷ୍ଠିତ ହେବ ।

ଭୁବନେଶ୍ୱରରେ ୭ ଦିନିଆ ମ୍ୟାଚର ଆୟୋଜନ

ଭୁବନେଶ୍ୱର,୨୦/୦୯: ସେପ୍ଟେମ୍ବର ୨୫ ତାରିଖରୁ ଭୁବନେଶ୍ୱରରରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ଡିଫ୍ କ୍ରିକେଟ ଆସୋସିଏସନ (ଆଇଡିସିଏ) ଟି-୨୦ ନ୍ୟାସନାଲ କ୍ରିକେଟ ଚାମ୍ପିୟନସିପ୍ । ଏହି ୭ ଦିନିଆ ଟୁର୍ଣ୍ଣାମେଂଟରେ ୧୯ଟି ଦଳ ଅଂଶଗ୍ରହଣ କରିବେ । ଫାଇନାଲ ମ୍ୟାଚ ପୂର୍ବରୁ ୪ଟି ଗ୍ରୁପରେ ଭାଗ ହେଇ ମୋଟ ୪୨ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓଡିଶା ଡିଫ କ୍ରିକେଟ ଆସୋସିଏସନ ତରଫରୁ ଏହି ମ୍ୟାଚ ଖେଳାଯିବ । ମ୍ୟାଚରେ ବିଜେତା ଦଳକୁ ୧,୦୦,୦୦୦ ଟଙ୍କାର ପୁରସ୍କାର ରାଶି ଏବଂ ଉପବିଜେତାଙ୍କୁ ୫୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିଭଳି ଶ୍ରେଷ୍ଠ ବ୍ୟକ୍ତିଗତ କ୍ରୀଡାବିତଙ୍କୁ ୫,୦୦୦ ଟଙ୍କା ଲେଖାଏଁ ଏବଂ ପ୍ଲେୟାର ଅଫ ଦି ମ୍ୟାଚଙ୍କୁ ୨,୧୦୦ ଟଙ୍କା ପ୍ରଦାନ କରାଯିବ ।

ଆଇଡିସିଏର ସିଇଓ ରୋମା ବାଲୱାନୀ କହିଛନ୍ତି, ପ୍ରଥମ ଥର ପାଇଁ ୧୯ଟି ଦଳର ଉପସ୍ଥିତି ସହ ଭୁବନେଶ୍ୱର ଆସି ୪ଟି ଗ୍ରାଉଣ୍ଡରେ ୪୩ଟି ମ୍ୟାଚ୍ ଖେଳିବାକୁ ଆସି ଆମେ ଆନନ୍ଦିତ । ଡିଫ କ୍ରିକେଟର୍ସମାନେ ପରସ୍ପର ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ଏଠାକୁ ଆସି ବହୁତ ଖୁସି ଅଛନ୍ତି । ସେହିଭଳି ଆଇଡିସିଏର ସଭାପତି ସୁମିତ ଜୈନ କହିଛନ୍ତି, ଆମେ ଆଶା କରୁଛୁ ଯେ ଅଧିକରୁ ଅଧିକ ଭିନ୍ନକ୍ଷମ ଯୁବକମାନେ କ୍ରୀଡାକୁ କ୍ୟାରିୟର ଭାବେ ବିକଳ୍‌ପ ଭାବରେ ଗ୍ରହଣ କରିବେ ।