ହୀରାକୁଦରୁ ପୁଣି ଖୋଲିଲା ୨ଟି ଗେଟ୍‌, ମୋଟ୍‌ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଉପରମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢ଼ି ଚାଲିଥିବାରୁ ଗୁରୁବାର ଅପରାହ୍ନରେ ପୁଣି ୨ଟି ଗେଟ୍‌ ଖୋଲିଛି। ଏଥି ସହିତ ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ରିପୋର୍ଟ ଅନୁସାରେ ଜଳଭଣ୍ଡାରର ବାମ ପାର୍ଶ୍ବରରୁ ୬ଟି ଓ ଡାହାଣ ପାର୍ଶ୍ବରୁ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।

ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୪.୨୫ ଫୁଟ୍‌ରେ ପହଂଚି ଥିଲା। ସକାଳ ୬ଟାରେ ଜଳସ୍ତର ୬୧୩.୮୫ ଫୁଟ୍ ପହଂଚିଥିବା ବେଳେ ମଧ୍ୟାହ୍ନ ୧୨ଟାରେ ୬୧୪ ଫୁଟ୍‌ ଅତିକ୍ରମ କରିଥିଲା। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ୧,୬୮,୮୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ସମୟରେ ୧,୧୬, ୬୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୫ଟି ସ୍ପିଲୱେ ଦେଇ ୭୬,୦୨୫ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୧୭୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି।