କୋଶଳ ରାଜ୍ୟ ମାନ୍ୟତା ଦାବି: ପଶ୍ଚିମ ଓଡ଼ିଶା ୧୨ ଘଣ୍ଟିଆ ବନ୍ଦ

କୋଶଳ ରାଜ୍ୟ ମାନ୍ୟତା ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।

ସାଧାରଣ ଜନଜୀବନ ପ୍ରଭାବିତ

ସମ୍ବଲପୁର, ୧୮/୧୧/୨୩: କୋଶଳ ଅଞ୍ଚଳକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଯାହା ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇପଡିଛି। ବନ୍ଦରୁ ସମସ୍ତ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି।

ଅନେକ ସ୍ଥାନରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ରାସ୍ତାରୋକ କରାଯାଇ ଥିବାରୁ ଅନେକ ସ୍ଥାନରେ ସାଧାରଣ ପରିବହନ ଠପ୍ ହୋଇଯାଇଛି। କର୍ମୀଙ୍କ ପିକେଟିଂ ଯୋଗୁଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ସରକାରୀ କାର୍ଯ୍ୟାଳୟ ଓ ବାଣିଜ୍ୟିକ ପ୍ରତିଷ୍ଠାନ ବନ୍ଦ ରହିଛି।

ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆନ୍ଦୋଳନକୁ ସମର୍ଥନ ଜଣାଇବା ପରେ ବଲାଙ୍ଗୀର ଜିଲ୍ଲାରେ ବନ୍ଦ ଜୋର ଧରିଥିଲା। କିନ୍ତୁ ସମ୍ବଲପୁର ଏବଂ ସୁନ୍ଦରଗଡ଼ର ବୋନାଇରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା। ସମ୍ବଲପୁର ସହରରେ ବନ୍ଦର କୌଣସି ପ୍ରଭାବ ପଡ଼ିନଥିଲା। ବଜାର, ଦୋକାନ, ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଚାଲିଛି।