ଉତ୍ତରକାଶୀ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ସହ କଥା ହେଲେ ସରକାରୀ ଅଧିକାରୀ

ଉତ୍ତରକାଶୀରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଜଣେ ଅଧିକାରୀ।

ଖୁବଶୀଘ୍ର ଉଦ୍ଧାର କରିବେ ବୋଲି ଆଶା

ଭୁବନେଶ୍ୱର,୧୮/୧୧/୨୩: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ସେଥିମଧ୍ୟରୁ ଓଡ଼ିଶାର ୫ ଜଣ। ଓଡ଼ିଶାର ଶ୍ରମିକମାନେ ହେଲେ ନବରଙ୍ଗପୁରର ତପନ ମଣ୍ଡଳ ଓ ଭଗବାନ ବାତ୍ରା ଏବଂ ବିଶେଶ୍ୱର ନାୟକ, ଧୀରେନ ଓ ରାଜୁ ନାୟକ ମୟୂରଭଞ୍ଜ ଜିଲ୍ଲାରୁ ଅଛନ୍ତି।

ବହୁ ଚେଷ୍ଟା ସତ୍ତ୍ୱେ ୫ ଦିନ ପୂର୍ବରୁ ଫସି ରହିଥିବା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଏହାରି ମଧ୍ୟରେ ଶ୍ରମିକଙ୍କୁ ଆଶ୍ୱାସନା ଦେଇ ମନୋବଳ ବଢାଇବା ପାଇଁ ଜଣେ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଜଣେ ଅଧିକାରୀ।

ଶ୍ରମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଦୁଇ ଜଣ ଅଧିକାରୀଙ୍କୁ ଉତ୍ତରକାଶୀ ପଠାଇଛୁ, ଯେଉଁମାନେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ଲାଇନ୍ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଆମର ଜଣେ ଅଧିକାରୀ ସେଠାରେ ଥିବା ପାଇପ୍ ମାଧ୍ୟମରେ ଫସି ରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ ପାଇଁ କଥା ହୋଇଥିଲେ। ସେମାନେ ସୁରକ୍ଷିତ ଅଛନ୍ତି ଏବଂ ସୁସ୍ଥ ଅଛନ୍ତି ବୋଲି ଶ୍ରମିକମାନେ କହିଛନ୍ତି। ସେମାନଙ୍କୁ ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି। ଖୁବ୍ ଶୀଘ୍ର ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି।