୩୪୯ଟି ଆମ୍ବୁଲାନ୍ସ ଲୋକାର୍ପିତ; ୩୦ଟି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ସୁବିଧା

ରାଜ୍ୟରେ ଆଉ ୩୪୯ଟି ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରତିଟି ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୧୧/୨୩: ରାଜ୍ୟରେ ସ୍ୱାସ୍ଥ୍ୟ ସେବା ହେବ ଆହୁରି ସୁଦୃଢ଼। ପୂର୍ବରୁ ରୋଗୀଙ୍କୁ ହସପିଟାଲରେ ପହଞ୍ଚିବାକୁ ୩୦ ମିନିଟ ସମୟ ଲାଗୁଥିବା ବେଳେ ଏବେ ୨୦ ମିନିଟ୍ ସମୟ ଲାଗିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ଆମେ ବିଶ୍ୱାସ କରୁ। ଆମ ନୀତି ଅନୁଯାୟୀ ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆମର ପ୍ରୟାସ ଜାରି ରହିବ।

୩୪୯ଟି ନୂଆ ଆମ୍ବୁଲାନ୍ସ ମଧ୍ୟରୁ ୨୭୯ଟିକୁ ୧୦୮ ଆମ୍ବୁଲାନ୍ସ ସେବାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ବାକି ୭୦ଟି ମେଡିକାଲ କଲେଜ ଓ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଇ ଦିଆଯାଇଛି।

୭୦ଟି ଆମ୍ବୁଲାନ୍ସ ମଧ୍ୟରୁ ୪୦ଟି ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଏବଂ ୩୦ଟି ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ରହିଛି। ଏଥିପାଇଁ ମୋଟ ୧୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଆମ୍ବୁଲାନ୍ସ ଉନ୍ମୋଚନ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।