ସାଲୁଗା ପ୍ରଧାନ ବିଜେଡି ଉପବାଚସ୍ପତି ପ୍ରାର୍ଥୀ

ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବରେ ବିବେଚିତ ହୋଇଛନ୍ତି।

ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର, ୨୦/୧୧/୨୩: ବିଧାନସଭାର ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ବ୍ୟକ୍ତିଗତ କାରଣ ଦର୍ଶାଇ ଉପବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଥିଲା। ଏ ନେଇ ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା।

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବରେ ବିବେଚିତ ହୋଇଛନ୍ତି। ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି ବିଜେଡି। ଏ ନେଇ ଆଜି ସାଲୁଗା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ୧୨ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଥିବା ବେଳେ ସେ ୧୨ଟା ପୂର୍ବରୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସାଲୁଗା ପ୍ରଧାନ ୨୦୦୦ ମସିହାରେ ଉଦୟଗିରି ଆସନରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇ୨୦୦୪ ପର୍ଯ୍ୟନ୍ତ ଆସନରେ ଥିଲେ। ପରେ ୨୦୧୯ରେ ପୁଣି ଥରେ ଜି. ଉଦୟଗିରି ଆସନରୁ ଦ୍ୱିତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ତେବେ କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନଙ୍କୁ ଉପବାଚସ୍ପତି ପଦ ପାଇଁ ବିଜେଡି ବିବେଚିତ କରିବା ପରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ଆଦିବାସୀ କାର୍ଡ ଖେଳି ପାରେ ବୋଲି ସମାଲୋଚକ କହିଥିବା ବେଳେ ନାମାଙ୍କନ ପତ୍ର ଦାଖଲ ପରେ ସାଲୁଗା ଗଣମାଧ୍ୟମରେ କହିଛନ୍ତି ଯେ, ମୋର ଯୋଗ୍ୟତା ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋତେ ବାଛିଛନ୍ତି। ମୁଁ ଦୁଇ ଥର ବିଧାୟକ ପଦରେ ଥିଲି। ତେଣୁ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି।