ଭିଜିଲାନ୍ସ ହାବୁଡରେ ବୈପାରୀଗୁଡ଼ା ଥାନା ଆଇଆଇସି

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବୈପାରୀଗୁଡ଼ା ଥାନା ଆଇଆଇସି।

ନଗଦ ୨୫ ଲକ୍ଷ ଜବତ

କୋରାପୁଟ, ୨୮/୧୧/୨୩: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ବୈପାରୀଗୁଡ଼ା ଥାନା ଆଇଆଇସି। ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବୋଇପାରିଗୁଡ଼ାରୁ ସନ୍ଦେହଜନକ ନଗଦ ଟଙ୍କା ସହ ଏକ ବସ୍ ଯୋଗେ ଶତପଥୀ କଟକ ଅଭିମୁଖେ ଯାଉଥିବା ନେଇ ବିଶ୍ୱସ୍ତ ସୂଚନା ମିଳିବା ପରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଜୟପୁର ନିକଟରେ ତାଙ୍କୁ ଅଟକାଇ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଥିଲା, ଯେଉଁ ଟଙ୍କାର ସଠିକ୍ ହିସାବ ସେ ଦେଇ ପାରିନଥିଲେ।

ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ ସମୟରେ ବୈପାରିଗୁଡା ଥାନାରେ ଥିବା ଶତପଥୀଙ୍କ କାର୍ଯ୍ୟାଳୟ ଚେମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ବୈପାରିଗୁଡାସ୍ଥିତ ସରକାରୀ କ୍ୱାର୍ଟରରୁ ୩ ଲକ୍ଷ ଟଙ୍କା ଜବତ କରିଛନ୍ତି।

ସେହିପରି କଟକ ସ୍ଥିତ ସୁଶାନ୍ତ ଶତପଥୀଙ୍କ ସରକାରୀ କ୍ୱାର୍ଟରରେ ଚଢ଼ାଉ କରି ମଙ୍ଗଳବାର ସକାଳେ ୫୦୦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟର ନଗଦ ବଣ୍ଡଲ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ୨୫ ଲକ୍ଷରୁ ଅଧିକ ଟଙ୍କାର ନଗଦ ଟଙ୍କା ଜବତ କରାଯାଇଛି।