ଓଡ଼ିଆ ଭାଷାରେ ଗବେଷଣା ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର: ପାଣ୍ଡିଆନ

ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

୨୦୨୪ ଜାନୁଆରୀରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପସକୁ ଉଦଘାଟନ କରିବେ

ଭୁବନେଶ୍ଵର, ୨୪.୧୨.୨୦୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି (ଟ୍ରାନ୍ସଫର୍ମେସନ୍ ଇନିସିଏଟିଭସ) ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ସତ୍ୟବାଦୀ ଗସ୍ତ କରି ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି।

୮.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ପ୍ରଥମ ପର୍ଯ୍ୟାୟରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍କୁଲ ଅଫ୍ ଲର୍ଣ୍ଣିଂ, ୩୨ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ହଷ୍ଟେଲ ବ୍ଲକ, ୧୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସ୍କଲର ହଷ୍ଟେଲ, ଲାଇବ୍ରେରୀ, କାଫେଟେରିଆ, ଏକ ଆଡମିନ ବ୍ଲକ ଏବଂ ସୁବିକଶିତ କୁଣ୍ଡ (ୱାଟର ବଡି) ରହିଛି। ଅପରାହ୍ନ ସାଢ଼େ ୪ଟାରୁ ୫ଟା ମଧ୍ୟରେ ହୋଇଥିବା ଏହି ଗସ୍ତ ସମୟରେ ସେ ଲ୍ୟାଣ୍ଡସ୍କେପିଂ କାର୍ଯ୍ୟ ଏବଂ ଆଭ୍ୟନ୍ତରୀଣ ରାସ୍ତା କାର୍ଯ୍ୟର ଅଗ୍ରଗତି ସମେତ ସମସ୍ତ ବ୍ୟକ୍ତିଗତ ବ୍ଲକପରିଦର୍ଶନ କରିଥିଲେ।

ଶ୍ରୀ ପାଣ୍ଡିଆନ ସ୍ଥାପତ୍ୟ ଓ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ପ୍ରଶଂସା କରିବା ସହ ଜାନୁଆରୀ ୧୫ ତାରିଖ ସୁଦ୍ଧା ଏହାକୁ ଶେଷ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରସିଦ୍ଧ ବନ ବିଦ୍ୟାଳୟ ସତ୍ୟବାଦୀ ନିକଟରେ ଅବସ୍ଥିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ଓଡ଼ିଆ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ସୁନ୍ଦର ଓ ଶାନ୍ତ ପରିସର ଏହାର ଡିଜାଇନ୍ ଓ ସ୍ଥାପତ୍ୟରେ ଓଡ଼ିଆ ଅକ୍ଷରର ସଫଳ ବ୍ୟବହାର କରିଛି।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାରେ ଗବେଷଣା ଓ ବିକାଶ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ହେବ। ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏହି କ୍ୟାମ୍ପସକୁ ଉଦଘାଟନ କରିବେ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଛନ୍ତି।

ସମୀକ୍ଷା ସମୟରେ ଉଚ୍ଚଶିକ୍ଷା ସଚିବ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଏବଂ ଅନ୍ୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।