ନୂଆବର୍ଷ ସେଲିବ୍ରେସନ ପାଇଁ ଜାରି ହେଲା ଗାଇଡଲାଇନ

ନୂଆବର୍ଷ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

ଜିରୋ ନାଇଟ ସେଲିବ୍ରେସନରେ ଲାଗିଲା କଟକଣା

ଭୁବନେଶ୍ବର, ୨୭/୧୨/୨୩: ନୂଆବର୍ଷ ସେଲିବ୍ରେସନ ପାଇଁ ରାଜଧାନୀବାସୀ ପ୍ରସ୍ତୁତି ଚଳାଇଥିବା ବେଳେ କମିଶନରେଟ ପୋଲିସ ଜାରି କରିଛି ଗାଇଡଲାଇନ। ରାଜଧାନୀରେ ଜିରୋ ନାଇଟ୍ ପାଳନ ନେଇ ଭୁବନେଶ୍ୱର ପୁଲିସ ପକ୍ଷରୁ ହୋଟେଲ, କ୍ଲବ୍, ବାର୍ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜାନୁଆରୀ ୧ ତାରିଖରେ କୌଣସି ଅଶାନ୍ତିଜନକ ପରିସ୍ଥିତି ନ ଉପୁଜିବା ପାଇଁ ରାତି ସାଢେ ୧୨ଟା ସୁଦ୍ଧା ସମସ୍ତ ହୋଟେଲ, କ୍ଲବ ଓ ବାର୍ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ଭୁବନେଶ୍ବରର ସମସ୍ତ କ୍ଲବ, ହୋଟେଲ ଓ ବାର୍ ମ୍ୟାନେଜମେଣ୍ଟ ସହ ଏକ ପ୍ରସ୍ତୁତି ବୈଠକ ବସିଥିଲା। ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ, ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ଦିଆଯିବ।

ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଅଚଳ ହୋଇପଡ଼ିଥିବା ସିସିଟିଭି ବ୍ୟବସ୍ଥାକୁ ମରାମତି କରିବା ସହ ଅଗ୍ନିକାଣ୍ଡ ଓ ବିଜୁଳି ବ୍ୟବସ୍ଥା ସୁନିଶ୍ଚିତ କରିବା ଏବଂ କୌଣସି କ୍ଲବ ପରିସରରେ ଥିବା ନିଷେଧାଞ୍ଚଳରେ ନିଶାଦ୍ରବ୍ୟ ବ୍ୟବହାର ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ପୁଲିସ ଅତିରିକ୍ତ ଫୋର୍ସ ମୁତୟନ କରିବା ସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ ସ୍ଥାପନ କରାଯିବା ସହ ପାଟ୍ରୋଲିଂ ମଧ୍ୟ ବୃଦ୍ଧି କରାଯିବ। ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯିବ।