୨୧ତମ ପାହାଚରେ ପାଦ ଥାପିଲା ‘ଦର୍ଶନ’

ଆଜି ଦର୍ଶନର ସ୍ୱନକ୍ଷତ୍ର ଦିବସ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଦର୍ଶନର ସ୍ୱନକ୍ଷତ୍ର ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର, ୧୦/୦୧/୨୦୨୪: ୨୦ ବର୍ଷ ପୂରି ୨୧ ବର୍ଷରେ ପଦାର୍ପଣ କଲା ଓଡିଶାର ଦୈନିକ ଖବରକାଗଜ ‘ଦର୍ଶନ’। ବହୁ ବାଧାବିଘ୍ନ ଅତିକ୍ରମ କରି ଆଜି ଓଡ଼ିଶାର ଏକ ସୁନାମଧନ୍ୟ ଦୈନିକ ଖବରକାଗଜ ଭାବରେ ନାମ ଅର୍ଜନ କରିଛି। ୨୦୦୩ରେ ଆରମ୍ଭ ହୋଇଥିବା ‘ଦର୍ଶନ’ ଅତୀତରେ ଅନେକ କଣ୍ଟକିତ ରାସ୍ତାରେ ପାଦ ଦେଇଛି, କିନ୍ତୁ କେବେ ଅଟକିବାକୁ ଚେଷ୍ଟା କରିନି। ସାହସ ଓ ଦୃଢତାର ସହ ଆଗକୁ ମାଡି ଚାଲିଛି।

ଆଜି ‘ଦର୍ଶନ’ର ୨୧ ବର୍ଷର ଆରମ୍ଭ ହୋଇଛି କସ୍ତୁରବା ନାରୀ ମହଲରୁ। ଭୁବନେଶ୍ବର ସ୍ଥିତ କସ୍ତୁରବା ନାରୀ ମହଲରେ ଆଜି ‘ଦର୍ଶନ’ର ସ୍ୱନକ୍ଷତ୍ର ଦିବସ ଏବଂ ବନ୍ଧୁମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

‘ଦର୍ଶନ’ର କାର୍ଯ୍ୟକାରୀ ସମ୍ପାଦିକା ପ୍ରଶମିତା ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ୱନକ୍ଷତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ରାଜ୍ୟସଭା ସାଂସଦ, ଡକ୍ଟର ଅମର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି, ‘ଦର୍ଶନ’ର ସମ୍ପାଦକ ବିଭୂତି ଭୂଷଣ ନାୟକ ଯୋଗ ଦେବା ସହ ମଧୁଲିତା ମହାନ୍ତିଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଏହି ଅବସରରେ ଯୋଗ ଦେଇଥିବା ପ୍ରମୁଖ ଅତିଥି ଗଣ ‘ଦର୍ଶନ’ ସମ୍ବାଦପତ୍ରର ଉଦଘାଟନ କରିଥିଲେ। ଏହା ସହ ‘ଦର୍ଶନ’ ର ସମସ୍ତ ଜିଲ୍ଲା ପ୍ରତିନିଧିଙ୍କ ସହ ବେଷ୍ଟ ଏମ୍ପ୍ଲୋଇଙ୍କୁ ମଧ୍ୟ ସମ୍ମାନ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ବାଦପତ୍ରର ମହତ୍ତ୍ୱ ବଖାଣିବା ସହ କିପରି ଖବରକାଗଜ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି ଏ ବିଷୟରେ ଆଲୋକପାତ କରିଥିଲେ ଡକ୍ଟର ଅମର ପଟ୍ଟନାୟକ। ଏହା ସହ ଦର୍ଶନର ନାଁରେ ହିଁ ଦର୍ଶନ ପ୍ରତିଫଳିତ ହେଉଛି ବୋଲି କହିଥିଲେ ଡକ୍ଟର ପଟ୍ଟନାୟକ।

ଶ୍ରୀମତୀ ସୁଲତା ଦେଓ ସାମ୍ବାଦିକତାର ମୂଲ୍ୟବୋଧ ଓ ସାମ୍ବାଦିକମାନଙ୍କ ଉନ୍ନତି ପାଇଁ ସମସ୍ତଙ୍କୁ ଏକତ୍ରିତ ହେବା ପାଇଁ ଆହ୍ବାନ ଦେବା ସହ କହିଥିଲେ ଯେ, ସାମ୍ବାଦିକମାନଙ୍କ ଜୀବନର ତପସ୍ୟା ଆମ ଭିତରେ ପରିବର୍ତ୍ତନ ଆଣିବ। ପ୍ରତ୍ୟେକ ସାମ୍ବାଦିକଙ୍କ ସମ୍ବେଦନଶୀଳତାକୁ ବୁଝିବାକୁ ପଡିବ। କୌଣସି ସାମ୍ବାଦିକମାନଙ୍କର ମୂଲ୍ୟ ଦେଇ ହେବନାହିଁ, କେବଳ ଭଲ ଖବରର ପ୍ରଶଂସା ଦ୍ୱାରା ହିଁ ପାରିଶ୍ରମିକ ଦେଇ ହେବ।

ଶ୍ରୀଯୁକ୍ତ ପ୍ରସନ୍ନ ମହାନ୍ତି ସାମ୍ବାଦିକମାନଙ୍କୁ ସ୍ବାଭିମାନର ସହ ସାମ୍ବାଦିକତା ବୃତ୍ତିକୁ ଆପଣେଇବା ପାଇଁ ଆହ୍ବାନ ଦେବା ସହିତ ରାଜ୍ୟରେ ଜର୍ଣ୍ଣାଲିଷ୍ଟ ପ୍ରୋଟେକ୍ସନ ଆକ୍ଟ ଲାଗୁ କରିବା ପାଇଁ ସରକାର ନିହାତି ପଦକ୍ଷେପ ନେବା ଉଚିତ ବୋଲି କହି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଦର୍ଶନ ଏକ ଅନୁଷ୍ଠାନ ନୁହେଁ, ବରଂ ଏକ ପରିବାର। ଦର୍ଶନ ଏକ ଛୋଟ ଅନୁଷ୍ଠାନ ହେଲେ ମଧ୍ୟ ଏଠାରେ ଆନ୍ତରିକତା ଅଛି। ଡିଜିଟାଲ ଯୁଗରେ ଖବରକାଗଜର ମଧ୍ୟ ଅନେକ ଚାହିଦା ରହିଛି। ଆଶା କରୁଛି ଯେ, ୨୦୨୪ ନିର୍ବାଚନରେ ‘ଦର୍ଶନ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଶ୍ରୀଯୁକ୍ତ ଦିଲ୍ଲୀପ ବିଶୋଇ ଦର୍ଶନର ସ୍ୱନକ୍ଷତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ, ଯୌବନର ଆରମ୍ଭ ଦର୍ଶନର ଶରୀରରେ ଭରି ରହିଛି। ଆଗାମୀ କିଛି ବର୍ଷ ଧରି ମଧ୍ୟ ଯୌବନର ଉନ୍ମାଦନା ବି ଭରି ରହୁଥିବାର ଆମେ ଦେଖିବାକୁ ପାଇବା। ସାମ୍ବାଦିକତା ହେଉଛି ସଜ୍ଞାହୀନ। ସାମ୍ବାଦିକତାରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଉଚିତ୍।

ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ କହିଥିଲେ ଯେ, ସାମ୍ବାଦିକମାନେ ସମାଜର ସବୁଠୁ ବଡ ସଂସ୍କାରକ। ଗତ ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବା ‘ଦର୍ଶନ’ ଅନେକ ରାସ୍ତା ଅତିକ୍ରମ କରି ଆସିଛି। ଏହା ସର୍ବଦା ବ୍ୟକ୍ତିଗତ ଓ ପାରିବାରିକରୁ ବାହାରି ସାମାଜିକ ଭାବରେ କାମ କରିବାକୁ ବିଶ୍ୱାସ ରଖେ।

ଶ୍ରୀମତୀ ପ୍ରଶମିତା ମହାନ୍ତି ସ୍ୱାଭିମାନର ସହ ଦର୍ଶନକୁ ଆଗେଇ ନେବାକୁ ଆହ୍ୱାନ କରିବା ସହ ସାମ୍ବାଦିକ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।