ଭବ୍ୟ ରାମ ମନ୍ଦିର ଉଦଘାଟନ ପାଇଁ ଦକ୍ଷିଣ-କୋରିଆର ଅଭିନନ୍ଦନ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହୋଇଥିବାରୁ ଦକ୍ଷିଣ କୋରିଆ ଭାରତକୁ ଅଭିନନ୍ଦନ ଜଣାଇଛି।

ଭାରତ-କୋରିଆ ମଧ୍ୟରେ ଐତିହାସିକ ସମ୍ପର୍କ

ନୂଆଦିଲ୍ଲୀ, ୨୩/୦୧/୨୦୨୪: ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଉଦଘାଟନ ପାଇଁ ଦକ୍ଷିଣ କୋରିଆ ମଙ୍ଗଳବାର ଭାରତକୁ ଅଭିନନ୍ଦନ ଜଣାଇଛି। ଏହା ସହ ଅଯୋଧ୍ୟା ସହ ଜଡ଼ିତ ଦୁଇ ଦେଶ ମଧ୍ୟରେ ଥିବା ପ୍ରାଚୀନ ସମ୍ପର୍କ ଉପରେ ଆଲୋକପାତ କରିଛି।

ଭାରତରେ ଥିବା କୋରିଆ ଦୂତାବାସ ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଏକ ପୋଷ୍ଟରେ କହିଛି, “ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସମାରୋହ ପାଇଁ ଅଭିନନ୍ଦନ ଏବଂ ୪୮ ଖ୍ରୀଷ୍ଟାବ୍ଦରେ ଅଯୋଧ୍ୟାର ରାଣୀ ଶ୍ରୀରତ୍ନ (ହେଓ ହ୍ୱାଙ୍ଗ-ଓକ୍) ଏବଂ ଗୟା (କୋରିଆ)ର ରାଜା କିମ୍ ସୁରୋଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଆଧାରରେ ଏହି ସ୍ଥାନ କୋରିଆ-ଭାରତ ସମ୍ପର୍କ ପାଇଁ ଏକ ବଡ଼ ପ୍ରତୀକାତ୍ମକ ମହତ୍ତ୍ୱ ରଖୁଛି।”

କିମ୍ବଦନ୍ତୀ ଅନୁସାରେ ରାଣୀ ହିଓ ହ୍ୱାଙ୍ଗ-ଓକ, ଯିଏକି ରାଜକୁମାରୀ ସୁରିରତ୍ନ ନାମରେ ମଧ୍ୟ ପରିଚିତ, ୪୮ ଖ୍ରୀଷ୍ଟାବ୍ଦରେ କରକ ବଂଶର ରାଜା କିମ୍ ସୁରୋଙ୍କୁ ବିବାହ କରିବା ପୂର୍ବରୁ ଅଯୋଧ୍ୟାର ରାଜକୁମାରୀ ଥିଲେ। ଏହି ବୈବାହିକ ସମ୍ପର୍କକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ମୂଳଦୁଆ ଭାବରେ ପାଳନ କରାଯାଏ ।

୨୦୦୧ ମସିହାରେ ଅଯୋଧ୍ୟାର ସରୟୁ ନଦୀ କୂଳରେ ପ୍ରଥମ ଥର ରାଣୀଙ୍କୁ ସମ୍ମାନ ଜଣାଇ ଏକ ସ୍ମାରକୀ ପ୍ରତିଷ୍ଠା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷିଣ କୋରିଆ ଗସ୍ତ ସମୟରେ ସ୍ମାରକୀର ସମ୍ପ୍ରସାରଣ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ୨୦୨୨ମସିହାରେ ଏହି ସୌନ୍ଦର୍ଯ୍ୟକରଣ ସ୍ମାରକୀ ଉଦ୍ୟାନ ଉଦଘାଟିତ ହୋଇଥିଲା।