ଆସନ୍ତା ମାସରେ ୨ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ଫେବୃୟାରୀ ମାସର ୩ ଓ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ପାରନ୍ତି।

ରାଜ୍ୟ ବିଜେପି ସଭାପତିଙ୍କ ସୂଚନା

ଭୁବନେଶ୍ୱର,୨୮/୦୧/୨୪: ଫେବୃୟାରୀ ମାସରେ ଦୁଇ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବୃୟାରୀ ୩ ଓ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଥର ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି।

ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ ଫେବ୍ରୁଆରି ୩ ତାରିଖରେ ସମ୍ବଲପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଏହି ଦିନିକିଆ ଗସ୍ତରେ ସେ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଆଉ କିଛି ପ୍ରକଳ୍ପର ଉଦଘାଟନ କରିବାର ସମ୍ଭାବନା ରହିଛି।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୧୦ ତାରିଖରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସି ମହିଳା ସମାବେଶକୁ ସମ୍ବୋଧିତ କରିପାରନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏହି ମହିଳା ସମାବେଶରେ ୧୪ଟି ରାଜ୍ୟର ପ୍ରାୟ ୨୫ ହଜାର ମହିଳା ଯୋଗ ଦେବାର ସମ୍ଭାବନା ରହିଛି ବୋଲି ମନମୋହନ କହିଛନ୍ତି।