ପଶ୍ଚିମ ଓଡ଼ିଶା ଗସ୍ତରେ ରାଜ୍ୟପାଳ

ରାଜ୍ୟପାଳ ରଘୁବର ଦାସ ଗତ କାଲି ନୂଆପଡା ଓ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରିଛନ୍ତି।

ଅଙ୍ଗନୱାଡି, ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର, ୨୮/୦୧/୨୦୨୪: ଗତ କାଲି ନୂଆପଡ଼ାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ରାଜ୍ୟପାଳ ରଘୁବର ଦାସ ରବିବାର ବଲାଙ୍ଗୀର ଗସ୍ତରେ ଅଛନ୍ତି।

ରାଜ୍ୟପାଳ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଝଲିଆଲିଟି ଗ୍ରାମରେ ଥିବା ଏକ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେ ଅଙ୍ଗନୱାଡି କେନ୍ଦ୍ରରେ ଥିବା ପିଲାମାନଙ୍କ ସହ ସମୟ ବିତାଇବା ପରେ ସେମାନଙ୍କୁ ଚକୋଲେଟ୍ ବଣ୍ଟନ କରିଥିଲେ।

କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ, ରୋଷେୟା ଓ ଆଟେଣ୍ଡାଣ୍ଟଙ୍କ ସହ ଆଲୋଚନା କରି ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ପୋଷକ ତତ୍ତ୍ୱ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଏହା ବ୍ୟତୀତ ରାଜ୍ୟପାଳ ଫୁଲକିମୁଣ୍ଡା ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ପାଠ ପଢ଼ିବା ସହ କଠିନ ପରିଶ୍ରମ କରି ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।