ବରମୁଣ୍ଡା ବସ୍ ଟର୍ମିନାଲ ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ

•୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳ ୫ଟାରେ ଆଇଏସବିଟି ବରମୁଣ୍ଡା ପ୍ରକଳ୍ପ ସମୀକ୍ଷା କରିଛନ୍ତି। •ଫେବ୍ରୁଆରି ମଧ୍ୟଭାଗ ସୁଦ୍ଧା ଶେଷ ହେବାକୁ ଥିବା ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ନିରାପତ୍ତା ଓ ସୁବିଧାକୁ ପ୍ରାଧାନ୍ୟ ଦିଆଯିବ।

ବିମାନବନ୍ଦର ଭଳି ହେବ ବସଷ୍ଟାଣ୍ଡ

ଭୁବନେଶ୍ଵର, ୩୦/୦୧/୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳେ ବରମୁଣ୍ଡାସ୍ଥିତ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (ଆଇଏସବିଟି)ର ପରିଦର୍ଶନ କରିଥିଲେ। ବସ ଟର୍ମିନାଲରେ ଯାତ୍ରୀମାନଙ୍କ ସୁବିଧାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ସୁବିଧା ଯଥା ପ୍ରତୀକ୍ଷା ସ୍ଥଳ, ପରିମଳ ବ୍ୟବସ୍ଥା, ବସ୍ ୱେ, ଆଗାମୀ ଏଫଆଣ୍ଡବି ଆଉଟଲେଟ୍, ଆଲୋକ ବ୍ୟବସ୍ଥା ଓ ବିଶ୍ରାମ ଗୃହ ସୁବିଧାର ସମୀକ୍ଷା କରିଥିଲେ। ଯାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଉପଯୁକ୍ତ ଓଡିଆ ସଙ୍କେତ ଓ ମାନଚିତ୍ର ସୁବିଧାର ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେ ଅପରେସନ କଣ୍ଟ୍ରୋଲ ସେଣ୍ଟରକୁ ପ୍ରଶଂସା କରିବା ସହ ଓସିସିକୁ ପରିଚାଳନା କରିବା ପାଇଁ ବୈଷୟିକ ଜ୍ଞାନ ଓ ସମ୍ପୃକ୍ତ ନେତୃତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଫେବୃଆରୀ ୨୪ ସୁଦ୍ଧା ଏହାକୁ ଓଡ଼ିଶାବାସୀଙ୍କ ପାଇଁ ଆରମ୍ଭ କରିବାକୁ ସେ ବିଡିଏ ଟିମକୁ କହିଛନ୍ତି।

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନେତୃତ୍ବରେ ୧୫.୫ ଏକର ପରିମିତ ଏହି ଆଇଏସବିଟି ବରମୁଣ୍ଡା ପ୍ରକଳ୍ପରେ ଯାତ୍ରୀ ସୁବିଧା, ଅଫିସ୍ ସ୍ଥାନ, ପାର୍କିଂ ସୁବିଧା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ, ଅତ୍ୟାଧୁନିକ ଆହାର କେନ୍ଦ୍ର, ସୋଲାର ପ୍ୟାନେଲ ସିଷ୍ଟମ ଓ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସହିତ ଅନେକ ସୁବିଧା ଉପଲବ୍ଧ ହେବ। ଏକ ବିମାନବନ୍ଦରରେ ମିଳୁଥିବା ସୁବିଧା ଭଳି ଏହି ବସ ଟର୍ମିନାଲରେ ଉପଲବ୍ଧ ହେବ।

ଯାତ୍ରୀମାନଙ୍କର ଆବଶ୍ୟକତା ପୂରଣ କରିବା ଏବଂ ସେମାନଙ୍କୁ ଏକ ଆରାମଦାୟକ ଏବଂ ସୁବିଧାଜନକ ଅନୁଭୂତି ପ୍ରଦାନ କରିବା ପାଇଁ ଏହି ଟର୍ମିନାଲ ଡିଜାଇନ୍ କରାଯାଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ସହାୟତା କେନ୍ଦ୍ର, ଟର୍ମିନାଲ ପରିଚାଳନା ପାଇଁ ପ୍ରଶାସନିକ କୋଠା, ଯାତ୍ରୀଙ୍କ ପାଇଁ ଶୌଚାଳୟ ସୁବିଧା, ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ରାମ୍ପ ସୁବିଧା ଏବଂ ଶିଶୁଙ୍କ ସହ ଯାତ୍ରା କରୁଥିବା ମା’ମାନଙ୍କ ପାଇଁ ବେବି ଫିଡିଂ ରୁମର ବ୍ୟବସ୍ଥା ରହିଛି। ସେହିପରି ଏହି ବସଷ୍ଟାଣ୍ଡରେ ପ୍ରିପେଡ ଅଟୋ ଏବଂ ଟ୍ୟାକ୍ସି ସୁବିଧା ମଧ୍ୟ ରହିବ। ଏହାବ୍ୟତୀତ ପିଲାଙ୍କ ଖେଳ ପଡ଼ିଆ, ପ୍ରାଥମିକ ସ୍ୱାସ୍ଥ୍ୟ କ୍ଲିନିକ୍ ଏବଂ ଋତୁକାଳୀନ ବସ୍ ପାଇଁ ଅତିରିକ୍ତ ପାର୍କିଂ ବ୍ୟବସ୍ଥା ରହିବ।