୧୨ ଓଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର

ଆଜି ରାଜ୍ୟରେ ୧୨ ଜଣ ଓଏଏସ ଅଫିସରଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଛନ୍ତି ରାଜ୍ୟ ସରକାର।

ବଦଳିଲେ ଶ୍ରୀମନ୍ଦିର ପ୍ରଶାସକ

ଭୁବନେଶ୍ବର, ୩୦/୦୧/୨୦୨୪: ଓଡ଼ିଶା ପ୍ରଶାସନିକ ସେବା ବା ଓଏଏସ ସ୍ତରର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପୁରୀ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଥିବା ପ୍ରଦୀପ କୁମାର ସାହୁଙ୍କୁ ବଦଳି କରାଯାଇ ଶ୍ରୀମନ୍ଦିର ଅତିରିକ୍ତ ପ୍ରଶାସକ, ସମ୍ବଲପୁର ଏଡିଏମ୍ ପ୍ରଦୀପ କୁମାର ସାହୁଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅତିରିକ୍ତ ସଚିବ, ବରଗଡ଼ ଏଡିଏମ୍ ପବିତ୍ର ବେହେରାଙ୍କୁ ବଲାଙ୍ଗୀର ଏଡିଏମ୍, ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ଏସସି)ର ଯୁଗ୍ମ ସଚିବ ଶରତ ଚନ୍ଦ୍ର ବେହେରାଙ୍କୁ ପୁରୀ ଏଡିଏମ୍, ବଲାଙ୍ଗୀର ଏଡିଏମ୍ ମହେନ୍ଦ୍ର ମହାପାତ୍ରଙ୍କୁ ବରଗଡ଼ ଏଡିଏମ୍ ଭାବେ ସ୍ଥାନାନ୍ତର କରାଯାଇଛି।

ରପ୍ତାନି ପ୍ରୋତ୍ସାହନ ଓ ମାର୍କେଟିଂ ନିର୍ଦ୍ଦେଶକ (ଡିଇପିଏମ୍) ଥିବା ବିମଳେନ୍ଦୁ ରାୟଙ୍କୁ ଓମଫେଡ୍ ଏମଡି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଯୁଗ୍ମ ସଚିବ ଭବାନୀ ପ୍ରସାଦ ମିଶ୍ରଙ୍କୁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର କମିଶନର ଭାବେ ବୈଦେଶିକ ସେବା ସର୍ତ୍ତାବଳୀରେ ଅବସ୍ଥାପିତ କରାଯାଇଛି।

ସେହିପରି ବିଇଏମସିର ଅତିରିକ୍ତ କମିଶନର ତଥା ବିଇଡିଏ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସମ୍ବିତ କୁମାର ରାଉତଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ-କୋରାପୁଟ ମେଜର ସେଟଲମେଣ୍ଟରେ ସେଟଲମେଣ୍ଟ ଅଫିସର ଭାବେ ଏବଂ ବିଇଏମସିର ଅତିରିକ୍ତ କମିଶନର ରମେଶ ହାଁସଦାଙ୍କୁ ବୈଦେଶିକ ସେବା ସର୍ତ୍ତାବଳୀ ଆଧାରରେ ବିଇଡିଏର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଏହାସହ ଇଡକୋର ଜମି ଅଧିକାରୀ ସମ୍ବିତ କୁମାର ଗଡନାୟକଙ୍କୁ ସମ୍ବଲପୁର ଏଡିଏମ୍ ଭାବେ ସ୍ଥାନାନ୍ତର କରା ଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ଉପଜିଲ୍ଲାପାଳ ହେମାସାଗର ଭୋଇଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ଏବଂ ପାପଡାହାଣ୍ଡି ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ସମ୍ବଲପୁରର କୁଚିଣ୍ଡାରେ ଉପଖଣ୍ଡ ମାଜିଷ୍ଟ୍ରେଟ ଭାବେ ସ୍ଥାନାନ୍ତର କରାଯାଇଛି।