ଗଜପତି ଓ ଢେଙ୍କାନାଳରେ ନୂଆ-ଓ ଫେଷ୍ଟରେ ଯୋଗ ଦେଲେ ପାଣ୍ଡିଆନ

- ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଜିରାଙ୍ଗସ୍ଥିତ ପଦ୍ମସମ୍ଭବ ମଠରେ ମହାଗୁରୁ ଅଭିଷେକ ସମାରୋହରେ ଯୋଗ ଦେଇଥିଲେ। - ନୂଆ-ଓ ଫେଷ୍ଟରେ ଅଂଶଗ୍ରହଣ କରିବା ସହ ଢେଙ୍କାନାଳ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। - ସେ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ର ସମୀକ୍ଷା କରିଥିଲେ । ସରକାରଙ୍କ ତରଫରୁ ଢେଙ୍କାନାଳ ଜିଲ୍ଲାରେ ୩୪.୫୦ କୋଟି ଟଙ୍କା ବ୍ୟୟରେ ଅନୁଦାନପ୍ରାପ୍ତ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକୁ ଫେବ୍ରୁଆରି ସୁଦ୍ଧା କାମ ଶେଷ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଜିରାଙ୍ଗର ପଦ୍ମସମ୍ଭବ ମଠ ପରିଦର୍ଶନ କଲେ ପାଣ୍ଡିଆନ

ଭୁବନେଶ୍ଵର, ୦୧/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ ଗଜପତି ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିଛନ୍ତି।

ଜିରାଙ୍ଗସ୍ଥିତ ପଦ୍ମସମ୍ଭବ ମଠରେ ଆୟୋଜିତ ମହାଗୁରୁ ଅଭିଷେକ ଉତ୍ସବରେ ଯୋଗ ଦେଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିବା ସହ ୨ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ମଠର ବିକାଶର ଅଗ୍ରଗତି ସମୀକ୍ଷା କରିଥିଲେ।

ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ପ୍ରକଳ୍ପ କାର୍ଯ୍ୟକାରିତା ସମୟସୀମା ଅନୁଯାୟୀ ହେବା ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପରେ କାର୍ତ୍ତିକ ପାଣ୍ଡିଆନ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଢେଙ୍କାନାଳର ସମସ୍ତ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ନୂଆ-ଓ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ସହ ଶିକ୍ଷାଗତ ସଫଳତା ସହ ସାମଗ୍ରିକ ବ୍ୟକ୍ତିତ୍ବ ବିକାଶରେ ସହାୟକ ହେବା ସହ ଜୀବନରେ ସଫଳତା ହାସଲ କରିବା ପାଇଁ ଆତ୍ମବିଶ୍ୱାସର ସହ କଠିନ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ରଖିବାକୁ ଉତ୍ସାହିତ କରିବା ସହ ଢେଙ୍କାନାଳ ଜିଲ୍ଲାର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲାରୁ ଏଭଳି ଅନେକ ରୋଲ ମଡେଲ ଉଭା ହୋଇଛନ୍ତି, ଯେଉଁମାନେ ସମସ୍ତେ ବିଭିନ୍ନ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର। କଠିନ ପରିଶ୍ରମ ଓ ସଂକଳ୍ପ ବଳରେ ସେମାନେ ସଫଳତା ହାସଲ କରିପାରିଛନ୍ତି।

ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍ ଶ୍ରୀ ପ୍ରଦୀପ କୁମାର ଜେନା, ଆଇଜି ଅନୁପ କୁମାର ସାହୁ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ସ୍ୱର୍ଗତ ଜଷ୍ଟିସ ଗତିକୃଷ୍ଣ ମିଶ୍ର, ବିଶିଷ୍ଟ ଲେଖକ ତଥା ଗବେଷକ ପଦ୍ମଶ୍ରୀ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଓ ପ୍ରସିଦ୍ଧ ପର୍ବତାରୋହୀ ସ୍ୱର୍ଗତ କଳ୍ପନା ଦାସ ପ୍ରମୁଖଙ୍କ ଉଦାହରଣ ଦେଇଥିଲେ।

ଢେଙ୍କାନାଳ ଜିଲ୍ଲାର ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୪.୫୦ କୋଟି ଟଙ୍କା ବ୍ୟୟ ବରାଦରେ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ଏହି ରୂପାନ୍ତରୀକରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ଫେବ୍ରୁଆରି ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେତେକ ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରିଥିଲେ। ଗତ ଜୁଲାଇ ୨୦୨୩ରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ ଢେଙ୍କାନାଳ ଗସ୍ତ କରିବା ସମୟରେ ଜନ ଅଭିଯୋଗ ସଭାରେ ଯୋଗ ଦେବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ କେତେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା।