ଉଦଘାଟିତ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଆଜି ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀରେ ଅନ୍ତର୍ଜାତୀୟ ସ୍ତରର ସାହିତ୍ୟିକ, ଲେଖକ ଓ ଭାଷାବିତ୍ ପ୍ରମୁଖ ଯୋଗ ଦେଇଥିଲେ।

ଭାଷା ଜାତିର ମୁକୁଟ, ଏକତାର ମନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୦୩/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଘାଟନ କରିଛନ୍ତି। ଓଡ଼ିଶାର ଭାଷା ଓ ସମୃଦ୍ଧ ସାଂସ୍କୃତିକ ଇତିହାସକୁ ସମ୍ମାନ ଜଣାଇ ଏହି ସମ୍ମିଳନୀ ଆୟୋଜିତ କରାଯାଇଛି।

ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାଷାବିତ୍, ପଣ୍ଡିତ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ସମେତ ୧୦ ହଜାରରୁ ଅଧିକ ଲୋକ ଯୋଗ ଦେଇ ପ୍ରାଚୀନ କାଳର ଓଡ଼ିଆ ଭାଷା, ସାହିତ୍ୟ ଓ ଭବିଷ୍ୟତରେ ଏହାର ପ୍ରାସଙ୍ଗିକତା ଆଲୋଚନା କରିବେ। ଏହି ସମ୍ମିଳନୀରେ ୧୬ଟି ଅଧିବେଶନ ଓ ଜଗନ୍ନାଥ ଚେତନା ଉପରେ ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।

ଭାଷା ହେଉଛି ଜାତିର ମୁକୁଟ ଓ ଏକତାର ମହାନ ମନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ଭାଷଣରେ ଏହା କହିଛନ୍ତି। ଆଜି ହେଉଛି ଗୌରବମୟ ଦିନ। ଭାଷା ପାଇଁ ସମଗ୍ର ଓଡ଼ିଶା ଏକାଠି ହୋଇଛି। ଓଡ଼ିଆ ଭାଷାର ଅଧିକ ବ୍ୟବହାର ନେଇ ସବୁବେଳେ ଆଲୋଚନା ହୋଇଥାଏ। ଆମେ ଆମ ଭାଷାର ଇତିହାସ ଜାଣିବା ଦରକାର, ଯାହା ଭବିଷ୍ୟତର ମାର୍ଗ ପ୍ରଶସ୍ତ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଶତାଧିକ ଲେଖକ ଓ ସାହିତ୍ୟିକ, ଅନ୍ତର୍ଜାତୀୟ ସ୍ତରର ବହୁ ମାନ୍ୟଗଣ୍ୟ ଭାଷାବିତ୍ ଯୋଗ ଦେଇଥିଲେ। ମଞ୍ଚରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର, ପ୍ରତିଭା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ ସ୍ୱାଗତ ଭାଷଣ ଦେଇଥିଲେ।