ଜେଏନୟୁରେ ଓଡ଼ିଆ ଅଧ୍ୟୟନ ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହେବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜେଏନୟୁ କୁଳପତି ପ୍ରଫେସର ପଣ୍ଡିତ। ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା। ମୁଖ୍ୟମନ୍ତ୍ରୀଙ୍କୁ ସମବାୟ ସଂଘବାଦର ଏକ ରୋଲ ମଡେଲ ଭାବରେ ବର୍ଣ୍ଣନା କରିଛନ୍ତି।

ଏକକାଳୀନ ୧୦ କୋଟି ଟଙ୍କାର ସହାୟତା ଦେବେ ରାଜ୍ୟ ସରକାର

ଭୁବନେଶ୍ଵର, ୦୪/୦୨/୨୦୨୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଆ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜେଏନୟୁ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଭୁବନେଶ୍ଵର ଆସିଛନ୍ତି ।

ଆଲୋଚନା ସମୟରେ ପ୍ରଫେସର ପଣ୍ଡିତ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତନମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ ଯାହା ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆଣିଛି ।

ସମବାୟ ସଂଘୀୟ ବ୍ୟବସ୍ଥାର ସର୍ବୋତ୍ତମ ଉଦାହରଣ ଭାବେ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦର୍ଶାଇଛନ୍ତି।

ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ଓ ଓଡ଼ିଶା ବାହାରେ ଏହାର ପରିସର ବିସ୍ତାର ପାଇଁ ହୋଇଥିବା ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ଜେଏନୟୁର ସ୍ୱତନ୍ତ୍ର କେନ୍ଦ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ପ୍ରଶଂସା କରି ସେ କହିଥିଲେ ଯେ ବିଜୁ ବାବୁ ଏକାକୀ ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି।

ଆଞ୍ଚଳିକ ଭାଷା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ସେମାନଙ୍କ ପାଇଁ ଏକ ସର୍ବଭାରତୀୟ ପରିଚୟ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଏକକାଳୀନ ୧୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ।

ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର ଓଡ଼ିଆ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଓଡ଼ିଆ ଅଧ୍ୟୟନ, ବିଜୁ ପଟ୍ଟନାୟକଙ୍କ ନେତୃତ୍ବ ଓ ଶାସନ ଅଧ୍ୟୟନ, ଜଗନ୍ନାଥ ସଂସ୍କୃତି ଅଧ୍ୟୟନ, ପ୍ରାଚୀନ ଓଡ଼ିଆ ସାହିତ୍ୟର ପାଣ୍ଡୁଲିପିଲୋଜି ପାଇଁ ମାଷ୍ଟର ପ୍ରୋଗ୍ରାମ ଆରମ୍ଭ ହେବ।

ଆଲୋଚନା ସମୟରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।