ଶତାଧିକ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ

ଆଜି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ଦାସ ଓ ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ଅନେକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ଶଙ୍ଖଭବନରେ ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ବର, ୦୬/୦୨/୨୦୨୩: ଏକାମ୍ର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନଠାରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ଏକାମ୍ର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜବୁତ ହେବ ବୋଲି ଶ୍ରୀ ଦାସ ଓ ଶ୍ରୀ ପଣ୍ଡା କହିଥିଲେ। ବିଜେଡିରେ ସାମିଲ ହୋଇଥିବା କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି ମିଶ୍ରଣ ପର୍ବରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଛବି ସ୍ୱାଇଁ, ଲିଙ୍ଗରାଜ ମଣ୍ଡଳର ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ଗୋପାଳ ମକଦମ, ବିଜେପି ଖଣ୍ଡଗିରି ମଣ୍ଡଳ ସମ୍ପାଦକ ମନୋଜ ଦୋରା, ବିଜେପି ଲିଙ୍ଗରାଜ ମଣ୍ଡଳର ପୂର୍ବତନ ସମ୍ପାଦକ ଓ ପୂର୍ବତନ ଉପସଭାପତି ଅମରେନ୍ଦ୍ର ଗରାବଡୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଶେଷରେ ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।