ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଓ ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ – ଧର୍ମେନ୍ଦ୍ର ପ୍ରଧାନ

•ଓଡ଼ିଶାର ୪ଟି ବିଶେଷରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡି ଭୂୟାଁ, ଚୁକ୍ତିଆ ଭୁଞ୍ଜିଆ, ବୋଣ୍ଡୋ ଓ ମାଙ୍କଡିଆଙ୍କ ସହ ୧୫ ଟି ଜନଜାତି ସମୁଦାୟରେ ୫୦ରୁ ଉର୍ଦ୍ଧ୍ୱ ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି। • ୨୦୦୨ ପରେ ଆଜି ୨୦୨୪ରେ ଓଡ଼ିଶାର କିଛି ଜନଜାତି ସମୁଦାୟଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦିଆଯାଉଛି,ସବୁ ବଞ୍ଚିତଙ୍କୁ ସେମାନଙ୍କ ଅଧିକାର ମିଳୁ, ଏହା ହେଉଛି ମୋଦି ଗ୍ୟାରେଣ୍ଟି • ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିବା ଜନଜାତିଙ୍କୁ ମିଳିଲା ଅଧିକାର

ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି ) ଆଦେଶ (ସଂଶୋଧନ) ବିଲ୍ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର, ୦୬/୦୨/୨୦୨୪: କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ଏବଂ ସୁରକ୍ଷା ସହ ସାଲିସ୍ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି ) ଆଦେଶ (ସଂଶୋଧନ) ବିଲ୍ – ୨୦୨୪ ଉପରେ ବିବୃତ୍ତି ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଐତିହାସିକ ବିଲ୍ ମାଧ୍ୟମରେ ଓଡ଼ିଶାର ୪ଟି ବିଶେଷ ରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି) ପାଉଡି ଭୂୟାଁ, ଚୁକ୍ତିଆ ଭୁଞ୍ଜିଆ, ବୋଣ୍ଡୋ ଓ ମାଙ୍କଡିଆଙ୍କ ସହ ୧୫ ଟି ଜନଜାତି ସମୁଦାୟରେ ୫୦ରୁ ଉର୍ଦ୍ଧ୍ୱ ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି । ଯେଉଁମାନେ ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଥିଲେ, ସେମାନଙ୍କୁ ମୋଦି ସରକାରରେ ସୁରକ୍ଷା ସହ ଅଧିକାର ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାଢେ ଚାରି କୋଟି ଓଡ଼ିଆଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଯେ ମୋଦି ସରକାର ହେଉଛନ୍ତି ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସର୍ବସମାବେଶୀ ସରକାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଜନଜାତିଙ୍କ ପ୍ରତି ପୂର୍ବରୁ ହୋଇଥିବା ଐତିହାସିକ ଭୁଲକୁ ସୁଧାରିଛନ୍ତି । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଜନଜାତି ସମୁଦାୟଙ୍କ ପାଇଁ ଏହି ବିଧେୟକ ଆର୍ଥିକ-ସାମାଜିକ କ୍ଷେତ୍ରରେ ବହୁତ ବଡ ପ୍ରଭାବ ପକାଇବ । ୫୦୦ ବର୍ଷ ପରେ ରାମ ମନ୍ଦିର ପ୍ରତିଷ୍ଠା ହେବା ସମୟରେ ଯେଉଁ ଉତ୍ସାହ ଥିଲା, ଏହି ବିଧେୟକ ଆଇନରେ ପରିଣତ ହେଲେ ଓଡ଼ିଶାର ଜନଜାତି ସମାଜର ବିଶେଷତଃ ୪ଟି ଆଦିମ ଜନଜାତି ସମୁଦାୟଙ୍କ ମଧ୍ୟରେ ସେହି ଉତ୍ସାହ ଦେଖାଯିବ । ଏହି ସମୁଦାୟଙ୍କୁ ନ୍ୟାୟ ଏବଂ ସାମ୍ବିଧାନିକ ଅଧିକାର ଦେବା ଏବଂ ସେମାନଙ୍କୁ ଆକାଂକ୍ଷା ତଥା ଅଭିଳାଷକୁ ପୂରଣ କରିବା ଦିଗରେ ଏହି ପଦକ୍ଷେପ ସଫଳ ହେବ ।

ସବକା ସାଥ୍-ସବକା ବିକାଶ – ସବକା ବିଶ୍ୱାସ –ସବକା ପ୍ରୟାସ ଆମ ଗଣତନ୍ତ୍ରର ସବୁଠୁ ବଡ ଉପଲବ୍ଧି । ୨୦୦୨ ପରେ ଆଜି ୨୦୨୪ରେ ଓଡ଼ିଶାର କିଛି ଜନଜାତି ସମୁଦାୟଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦିଆଯାଉଛି । ସବୁ ବଞ୍ଚିତଙ୍କୁ ସେମାନଙ୍କ ଅଧିକାର ମିଳୁ, ଏହା ମୋଦି ଗ୍ୟାରେଣ୍ଟି । ଏସଏସି, ଏସଟି, ଓବିସି ଏବଂ ପିଭିଟିଜିକୁ ଦଶନ୍ଧି ଦଶନ୍ଧି ଧରି ଯେଉଁମାନେ ଅବହେଳା କରିଥିଲେ, ସେମାନେ ଆଜି ପୁଣି ଥରେ ଏହି ବିଲ୍ ଉପରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶରେ ଜନଜାତିଙ୍କ ଅଧିକାରକୁ ସୁରକ୍ଷା ପାଇଁ ସମ୍ବିଧାନରେ ପ୍ରାବଧାନ ରହିଛି । କିନ୍ତୁ ଏପରି ଅନେକ ଉଦାହରଣ ରହିଛି, ଯେତେବେଳେ ସମ୍ବିଧାନକୁ ବଦଳାଇବାର ପ୍ରୟାସ କରାଯାଇଛି । ଓଡ଼ିଶାରେ ମଧ୍ୟ ଏପରି ଦୁର୍ଭାଗ୍ୟଜନକ ପଦକ୍ଷେପ ନିଆଯାଇଥିଲା । ନିକଟରେ ଓଡ଼ିଶାରେ ଆଦିବାସୀଙ୍କ ଜମିକୁ ବିକ୍ରି କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଥିଲା । ଏହି ସମ୍ବିଧାନ ବିରୋଧୀ ନିଷ୍ପତିକୁ ଜନଜାତିଙ୍କ ସମେତ ସବୁ ଆଡୁ ବିରୋଧ ହେବା ପରେ ଉକ୍ତ ନିଷ୍ପତିକୁ ପ୍ରତ୍ୟାହାର କରାଯାଇଛି । ଜନଜାତିଙ୍କ ସାମ୍ବିଧାନିକ ଅନୁମୋଦିତ ଅଧିକାର ସହ ସାଲିସ୍ କରିବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି ।