ବିଧାନସଭା ଅପଡେଟ୍: ୫ ବର୍ଷରେ ବଜ୍ରପାତରେ ୧୪୭୨ ଜଣଙ୍କ ମୃତ୍ୟୁ

ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ସମୟରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷ ଭିତରେ ବଜ୍ରପାତରେ ୧୪୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୫ ଜଣ ବଜ୍ରପାତ ପୀଡ଼ିତଙ୍କୁ ଆର୍ଥିକ ସହାୟତା ମିଳିଛି।

ବାହିନୀପତିଙ୍କୁ ଉତ୍ତର ଦେଲେ ସୁଦାମ ମାର୍ଣ୍ଡି

ଭୁବନେଶ୍ବର, ୦୭/୦୨/୨୦୨୪: ବିଧାନସଭାର ବଜେଟ ଅଧିବେଶନରେ ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଗତ ୫ ବର୍ଷ ମଧ୍ୟରେ ବଜ୍ରପାତରେ ୧୪୭୨ ଜଣଙ୍କ ମୃତ୍ୟୁ ହୋଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୫ ଜୁନ୍ ୬ ତାରିଖରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ବଜ୍ରପାତ ହୋଇଥିବା ବେଳେ ବିପର୍ଯ୍ୟୟ ରିଲିଫ ପାଣ୍ଠିର ସର୍ତ୍ତାବଳୀ ଅନୁଯାୟୀ ମୋଟ ୧୪୫ ଜଣ ବଜ୍ରପାତ ପୀଡ଼ିତଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସେହିଭଳି ବଜ୍ରପାତରେ ଅନ୍ୟାନ୍ୟ ଅଙ୍ଗ ହରାଇଥିବା ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୪୦%ରୁ ୬୦% ଭିନ୍ନକ୍ଷମଙ୍କୁ ୭୪,୦୦୦ ଟଙ୍କା ଏବଂ ୬୦% ରୁ ଅଧିକ ଭିନ୍ନକ୍ଷମଙ୍କୁ ୨.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ସେହିପରି ବଜ୍ରପାତରେ ଆଘାତ ପାଇ ଏକ ସପ୍ତାହରୁ ଅଧିକ ସମୟ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ସରକାର ୧୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି ଏବଂ ୭ ଦିନରୁ କମ୍ ସମୟ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୫,୪୦୦ ଟଙ୍କା ମିଳୁଛି ବୋଲି ମନ୍ତ୍ରୀ କହିଛନ୍ତି।