ପରଲୋକରେ ଖଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ

ଆଜି ଖଲିକୋଟ ରାଣୀ ତଥା ବିଶିଷ୍ଟ ରାଜନୀତିଜ୍ଞ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି। ଚେନ୍ନାଇ ସ୍ଥିତ ବାସଭବନରେ ୮୭ ବର୍ଷ ବୟସରେ ପରଲୋକ ଘଟିଛି।

ଓଡ଼ିଶା ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି

ଭୁବନେଶ୍ବର, ୧୦/୦୨/୨୦୨୪: ପରଲୋକରେ ଖଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ। କିଛି ଦିନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବାରୁ ଚେନ୍ନାଇରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୮୭ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ରାଣୀ ଭି. ସୁଜ୍ଞାନ କୁମାରୀ। ଚେନ୍ନାଇସ୍ଥିତ ବାସଭବନରେ ତାଙ୍କ ମରଶରୀର ରହିଥିବା ବେଳେ ଆଜି ସନ୍ଧ୍ୟାରେ ବିମାନ ଯୋଗେ ଭୁବନେଶ୍ବର ଅଣାଯିବ। ଆସନ୍ତାକାଲି ଖଲିକୋଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

୧୯୩୭ ମସିହା ଅଗଷ୍ଟ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭି. ସୁଜ୍ଞାନ କୁମାରୀ ଦେଓ। ତାଙ୍କ ପିତା ହେଉଛନ୍ତି ଆର.ଭି.ଏମ. ନୀଳାଦ୍ରି ଦେଓ। ସେ ଖଲିକୋଟର ରାଜା ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ବିବାହ କରିଥିଲେ। ସେ ଏକାଧାରରେ ଜଣେ ରାଜନୀତିଜ୍ଞ ଥିବା ସହ ସମାଜସେବା, ଆଶୁଲେଖନ, ହୋମିଓପାଥି ଷ୍ଟାମ୍ପ ସଂଗ୍ରହ, କାର ଚାଳନା ଓ ଅଧ୍ୟୟନ ପ୍ରତି ରୁଚି ରଖୁଥିଲେ।

୧୯୬୧ ମସିହାରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ରାଣୀ ଦେଓ ଖଲିକୋଟରୁ ୮ ଥର ଓ କବିସୂର୍ଯ୍ୟନଗରରୁ ୨ ଥର ବିଧାୟକ ଥିଲେ। ସେ ୧୯୬୧ରୁ ୧୯୬୭ ଖଲିକୋଟରୁ କଂଗ୍ରେସ ବିଧାୟିକା; ୧୯୭୪ରୁ ୧୯୭୭ ଖଲିକୋଟରୁ ଉତ୍କଳ କଂଗ୍ରେସ ବିଧାୟିକା; ୧୯୭୭ରୁ ୧୯୮୦ ଓ ୧୯୮୫ରୁ ୧୯୯୦; ୧୯୯୦ରୁ ୧୯୯୫ ; ୧୯୯୫ରୁ ୨୦୦୦ ଖଲିକୋଟରୁ ଜନତା ଦଳ ବିଧାୟିକା, ୨୦୦୦ରୁ ୨୦୦୪ ଏବଂ ୨୦୦୪ରୁ ୨୦୦୯ ଖଲିକୋଟରୁ ବିଜେଡି ବିଧାୟିକା; ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ କବିସୂର୍ଯ୍ୟନଗରରୁ ବିଜେଡି ବିଧାୟିକା ଥିଲେ।

ଗତ କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଯାଇ ଭି. ସୁଜ୍ଞାନଙ୍କୁ ଦେଖା କରି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବୁଝିବା ବେଳେ ଆଜି ତାଙ୍କ ଦେହାନ୍ତ ଖବର ସବୁରି ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।