କଂଗ୍ରେସରେ ଯୋଗ ଦେଲେ ଓଡ଼ିଆ ଅଭିନେତା ମନୋଜ ମିଶ୍ର

ଆଜି ଓପିସିସି କାର୍ଯ୍ୟାଳୟରେ କଂଗ୍ରେସର ଓଡ଼ିଶା ପ୍ରଭାରୀଙ୍କ ଉପସ୍ଥିତିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର କଂଗ୍ରେସରେ ଯୋଗ ଦେଇଛନ୍ତି।

ପଛୁଆ ଅଞ୍ଚଳର ଲୋକଙ୍କ ସେବା କରିବାକୁ ଚାହୁଁଛି: ମନୋଜ

ଭୁବନେଶ୍ବର, ୧୦/୦୨/୨୦୨୪: ନିକଟରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଗୋଷ୍ଠୀବାଦ ଅଭିଯୋଗ କରି ଚର୍ଚ୍ଚାରେ ଥିବା ଓଡ଼ିଆ ଚଳଚ୍ଚିତ୍ର କଳାକାର ମନୋଜ ମିଶ୍ର ଆଜି ରାଜନୀତିରେ ପ୍ରବେଶ କରି କଂଗ୍ରେସରେ ଯୋଗ ଦେଇଛନ୍ତି।

ଓପିସିସି କାର୍ଯ୍ୟାଳୟରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର ଦଳରେ ଯୋଗ ଦେଇଥିଲେ।

ଏ ନେଇ ଶ୍ରୀ ମିଶ୍ର କହିଛନ୍ତି “ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି। ନରସିଂହ ମିଶ୍ର ସାର୍ ଏ ଦିଗରେ ମୋତେ ମାର୍ଗଦର୍ଶନ କରିଥିଲେ। ମୁଁ ଦେଖୁଛି କଂଗ୍ରେସରେ ଏକ ଭବିଷ୍ୟତ ଅଛି ଯାହା ମାଧ୍ୟମରେ ମୁଁ ଲୋକଙ୍କ ପାଇଁ କାମ କରିପାରିବି।”

ନରସିଂହ ମିଶ୍ର କହିଛନ୍ତି, “ମନୋଜ ମିଶ୍ର ଜଣେ ବିଶିଷ୍ଟ ଚଳଚ୍ଚିତ୍ର କଳାକାର। ସେ ସର୍ବଦା ଗରିବ ଲୋକଙ୍କ ସେବା କରିବାକୁ ଚାହାଁନ୍ତି। ମୁଁ, ପିସିସି ସଭାପତି ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ସେ ଆଲୋଚନା କରିଥିଲେ। ବିଶେଷକରି ପଶ୍ଚିମ ଓଡ଼ିଶାର ପଛୁଆ ଅଞ୍ଚଳର ସେବା କରିବା ସହ କଂଗ୍ରେସ ଦଳ ସହ ଆଞ୍ଚଳିକ ଅସମାନତା ଦୂର କରିବାକୁ ସେ ରାଜି ହୋଇଥିଲେ।”