ଗୁପ୍ତେଶ୍ଵର ଜଙ୍ଗଲ ଓଡ଼ିଶାର ଚତୁର୍ଥ ଜୈବ ବିବିଧତା-ଐତିହ୍ୟ ସ୍ଥଳ

ଗୁପ୍ତେଶ୍ଵର ଜଙ୍ଗଲକୁ ଓଡ଼ିଶାର ଚତୁର୍ଥ ଜୈବ ବିବିଧତା-ଐତିହ୍ୟ ସ୍ଥଳ ଘୋଷଣା କରାଯାଇଛି। ଏଠାରେ ୬୦୦ରୁ ଉର୍ଦ୍ଧ୍ଵ ପ୍ରଜାତିର ଜୀବଜନ୍ତୁ ଏବଂ ୫୦୦ରୁ ଉର୍ଦ୍ଧ୍ଵ ପ୍ରକାର ଉଦ୍ଭିଦ ଦେଖିବାକୁ ମିଳିଛି।

୬୦୮ ପ୍ରଜାତିର ଜୀବଜନ୍ତୁ, ୫୦୦ରୁ ଉର୍ଦ୍ଧ୍ୱ ପ୍ରକାର ଉଦ୍ଭିଦ ରହିଛି

ଭୁବନେଶ୍ବର, ୧୨/୦୨/୨୦୨୪: ଓଡ଼ିଶାର କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ, ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଏବଂ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନକୁ ଜୈବ ବିବିଧତା-ଐତିହ୍ୟ ସ୍ଥଳ ଘୋଷଣା କରାଯିବା ପରେ ଏବେ ଚତୁର୍ଥ ଜୈବ ବିବିଧତା-ଐତିହ୍ୟ ସ୍ଥଳ ଘୋଷଣା କରିଛନ୍ତି ରାଜ୍ୟ ସରକାର।

୩୫୦ ହେକ୍ଟର ପରିମିତ ଅଞ୍ଚଳରେ ଏହି ଐତିହ୍ୟ ସ୍ଥଳୀ ହେଉଛି କୋରାପୁଟ ଜିଲ୍ଲା ଜୟପୁର ବନଖଣ୍ଡ ଅଧୀନ ଧୋନ୍ଦ୍ରାଖୋଲ ସଂରକ୍ଷିତ ଜଙ୍ଗଲର ଗୁପ୍ତେଶ୍ୱର ଶିବ ମନ୍ଦିର ନିକଟବର୍ତ୍ତୀ ଗୁପ୍ତେଶ୍ୱର ଜଙ୍ଗଲ। ଏହି ସ୍ଥାନରେ ବିଭିନ୍ନ ପ୍ରକାରର ଉଦ୍ଭିଦ ଓ ଜୀବଜନ୍ତୁ ରହିଛନ୍ତି।

ଓଡ଼ିଶା ଜୈବ ବିବିଧତା ବୋର୍ଡ ଦ୍ୱାରା କରାଯାଇଥିବା ଜୈବ ବିବିଧତା ତାଲିକା ଓ ସର୍ବେକ୍ଷଣରୁ ଜଣାପଡିଛି ଯେ ଏଠାରେ ଅତି କମରେ ୬୦୮ ପ୍ରଜାତିର ଜୀବଜନ୍ତୁ ଥିବା ବେଳେ ୧୮୮ ପ୍ରଜାତିର ପକ୍ଷୀ, ୪୮ ପ୍ରଜାତିର ସରୀସୃପ, ୪୫ ପ୍ରଜାତିର ପ୍ରଜାପତି, ୪୩ ପ୍ରଜାତିର ପତଙ୍ଗ, ୩୦ ପ୍ରଜାତିର ମାଙ୍କଡ଼ସା, ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୦ ପ୍ରଜାତିର ନିମ୍ନ ଅମେରୁଦଣ୍ଡୀ ପ୍ରାଣୀ, ୧୮ ପ୍ରଜାତିର ଉଭୟଚର ପ୍ରାଣୀ ଏବଂ ୬ ପ୍ରଜାତିର ବିଛା ରହିଛନ୍ତି। ମୁଗର୍ କୁମ୍ଭୀର, କାଙ୍ଗର ଭ୍ୟାଲି ରକ୍ ଗେକୋ, ଗ୍ରୋଭ୍ ବୁଶ ଫ୍ରଗ୍ ଏବଂ ବ୍ଲାକ୍ ବାଜା, ଜେର୍ଡନ୍ ବାଜା, ମାଲାବର ଟ୍ରୋଗନ୍, ସାଧାରଣ ପାହାଡ଼ିଆ ମାଇନା, ହ୍ୱାଇଟ-ବେଲିଡ୍ କାଠହଣା ଏବଂ ବ୍ୟାଣ୍ଡେଡ ବେ କୁକୋ ଇତ୍ୟାଦି ଅନ୍ୟାନ୍ୟ ପ୍ରାଣୀମାନେ ମଧ୍ୟ ଦେଖିବାକୁ ମିଳୁଛି।

ସେହିପରି ଦକ୍ଷିଣ ଓଡ଼ିଶାରେ ଦେଖା ଦେଉଥିବା ମୋଟ ୧୬ଟି ପ୍ରଜାତି ବାଦୁଡି ମଧ୍ୟରୁ ଗୁପ୍ତେଶ୍ୱରର ଚୂନପଥର ଗୁମ୍ଫାରେ ୦୮ ପ୍ରଜାତିର ବାଦୁଡ଼ି ରହିଛି। ସେମାନଙ୍କ ମଧ୍ୟରୁ ଦୁଇଟି ପ୍ରଜାତି ହିପୋସିଡେରୋସ୍ ଗାଲେରିଟାସ୍ ଏବଂ ରାଇନୋଲୋଫସ୍ ରକ୍ସି। ଏହି ଦୁଇ ପ୍ରଜାତିର ବାଦୁଡିକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ପ୍ରାୟ ବିପଦଗ୍ରସ୍ତ ଶ୍ରେଣୀରେ ରଖା ଯାଇଛି।

ଏହା ସହ ଗୁପ୍ତେଶ୍ଵର ଜଙ୍ଗଲରେ ୧୮୨ ପ୍ରଜାତିର ଗଛ, ୭୬ ପ୍ରଜାତିର ବୁଦା ଜାତୀୟ ଉଦ୍ଭିଦ, ୧୭୭ ପ୍ରଜାତିର ଜଡ଼ିବୁଟି ଗଛ, ୬୯ ପ୍ରଜାତିର ଲତା ଜାତୀୟ ଉଦ୍ଭିଦ, ୧୪ ପ୍ରଜାତିର ସ୍ୱତନ୍ତ୍ର ଫୁଲର ବିଭିନ୍ନ ଅର୍କିଡ୍ ଗଛ ଏବଂ ଅତି ବିରଳ ଔଷଧୀୟ ବୃକ୍ଷ, ଭାରତୀୟ ସାପ ମୂଳ, କୁମ୍ବି ଗମ୍ ଗଛ, ରସୁଣ ନାସପାତି ଗଛ, ଚାଇନିଜ୍ ଫିଭର ବେଲ, ରୋହିତୁକା ଗଛ, ଜୋଡ଼ପାକଲି, ଅଦା ଓ ହଳଦୀ ଭଳି ଅନେକ ଉଦ୍ଭିଦ ମଧ୍ୟ ରହିଛି, ଯାହାର ସଂରକ୍ଷଣ ନିହାତି ଆବଶ୍ୟକ।

ପ୍ରକୃତିପ୍ରେମୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଏହି ଗୁପ୍ତେଶ୍ଵର ଜଙ୍ଗଲକୁ ଜୈବ ବିବିଧତା-ଐତିହ୍ୟ ସ୍ଥଳ ଘୋଷଣା କରାଯିବା ପରେ ଜଙ୍ଗଲ ପରିବେଶ ପର୍ଯ୍ୟଟନ ସ୍ଥଳୀ ହେବା ସହ ଲୋକଙ୍କ ଜୀବନଜୀବିକାରେ ମଧ୍ୟ ଉନ୍ନତି ଆସି ପାରେ ବୋଲି ଆଶା କରାଯାଉଛି।