ଭଲିବଲ୍‌ରେ ନୂଆ ଗିନିଜ୍ ବିଶ୍ୱ ରେକର୍ଡ କଲା କିସ୍

ଫ୍ରାନ୍ସର ରେକର୍ଡ ଭାଙ୍ଗିଲା ଏଫ୍ଆଇଭିବି

ଭୁବନେଶ୍ଵର, ୭।୧୦: ପୁରୁଣା ଗିନିଜ ବିଶ୍ଵ ରେକର୍ଡକୁ ଭାଙ୍ଗିଛି କିସ୍। ନିକଟରେ ଅନୁଷ୍ଠିତ ହୋଇଯାଇଥିବା କିସ୍ ଭଲିବଲ୍ ମହୋତ୍ସବରେ କିସ୍ ଏହି ରେକର୍ଡ ଭାଙ୍ଗିଛି। ଭଲିବଲ୍ ମହୋତ୍ସବ ଅବସରରେ ଆୟୋଜିତ ଏକ ବନ୍ଧୁତ୍ଵପୂର୍ଣ ପ୍ରଦର୍ଶନୀ ମ୍ୟାଟ୍‌ରେ ୪୩୦ ଖେଳାଳି ଦୀର୍ଘ ୮ ଘଣ୍ଟା ଧରି ଗୋଟିଏ ମ୍ୟାଚ୍ ଖେଳି ମୋଟ ୭୩୬-୭୫୬ ପଏଣ୍ଟ ସ୍କୋର ସହ ଏହି ରେକର୍ଡ କରିଛନ୍ତି । କିଟ୍, କିସ୍ ଓ ଆନ୍ତର୍ଜାତିକ ଭଲିବଲ୍ ସଂଘ (ଏଫ୍‌ଆଇଭିବି)ର ମିଳିତ ଉଦ୍ୟମରେ ଏହି ରେକର୍ଡ ସମ୍ଭବ ହୋଇପାରିଛି। ପୂର୍ବରୁ ୨୦୧୧ରେ ଫ୍ରାନ୍‌ସରେ ଏହିପରି ଏକ ପ୍ରୟାସ କରାଯାଇଥିଲା । ଏହି ମ୍ୟାଚ୍‌ରେ ୨୯୪ ଖେଳାଳି ଅଂଶ ଗ୍ରହଣ କରି ସେତେବେଳେ ଏକ ବିଶ୍ୱ ରେକର୍ଡ କରିଥିଲେ। ଏହି ରେକର୍ଡକୁ କିସ୍ ଭାଙ୍ଗିବାରେ ସକ୍ଷମ ହୋଇଛି।

ସୂଚନାଯୋଗ୍ୟ, ‘କିସ୍ ଭଲିବଲ୍‌ କ୍ରୀଡ଼ା ମହୋତ୍ସବ’ରେ ସମଗ୍ର ଭାରତରୁ ୫ହଜାର ଛାତ୍ରଛାତ୍ରୀ ଖେଳାଳି ଭାବେ ଅଂଶଗ୍ରହଣ କରିଥିବା ବେଳେ ଗ୍ୟାଲେରୀରେ ୪୦ ହଜାର ଦର୍ଶକ ଏହାର ମଜା ନେଇଥିଲେ । କିସ୍ ଭଲିବଲ୍‌ କ୍ରୀଡ଼ା ମହୋତ୍ସବରେ ମୋଟ ୬୦ଟି ଆଉଟ୍ ଡୋର କୋର୍ଟ ଓ ବିଭିନ୍ନ ଇନ୍‌ଡୋର ଭେନ୍ୟୁରେ ଖେଳାଳିମାନେ ମ୍ୟାଚ୍ ଖେଳିଥିଲେ।

ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଏଫ୍‌ଆଇଭିବି ଓ ଏହାର ସଭାପତି ଆରି ଗ୍ରାସାଙ୍କୁ ଧନ୍ୟବାଦ ଦେବା ସହ ଏହି ରେକର୍ଡ ସବୁଦିନ ପାଇଁ କିସ୍ ଓ ଓଡ଼ିଶା ନାଁରେ ରହିଗଲା ବୋଲି କହିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଏହା କିସ୍ ଓ ଓଡ଼ିଶା ପାଇଁ ପ୍ରଥମ ଗିନିଜ୍ ବିଶ୍ଵ ରେକର୍ଡ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।