କୋଟିଏ ଟପିଲା ସୁଭଦ୍ରା ପଞ୍ଜୀକରଣ

ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ରାଜ୍ୟର ୧ କୋଟି ମହିଳା ନାମ ପଞ୍ଜୀକରଣ କରିଛନ୍ତି।

ଖାତାକୁ ଆସିଲା ୧ ଟଙ୍କା

ଭୁବନେଶ୍ବର, ୦୭/୧୦: ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ରାଜ୍ୟର ୧ କୋଟି ମହିଳା ନାମ ପଞ୍ଜୀକରଣ କରିଛନ୍ତି। ୧ କୋଟି ମହିଳାଙ୍କ ମଧ୍ୟରୁ ୩୨ ଲକ୍ଷଙ୍କୁ ଏମପିସିଆଇ ଯୋଗ୍ୟ ହିତାଧିକାରୀ ଭାବେ ଟ୍ୟାଗ୍ କରାଯାଇଛି। ଅକ୍ଟୋବର ୭ ସୁଦ୍ଧା ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଅକ୍ଟୋବର ୯ ତାରିଖରେ ୫ ହଜାର ଟଙ୍କାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ପ୍ରଦାନ କରାଯିବ। ଏ ନେଇ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଲେଖାଏଁ ପଠାଯାଇଛି। ଅକ୍ଟୋବର ୯ ତାରିଖରେ ସେମାନଙ୍କୁ ବାକି ୪,୯୯୯ ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆସନ୍ତା ଅକ୍ଟୋବର ୯ରେ ବାରିପଦାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସୁଭଦ୍ରା ଟଙ୍କା ବଣ୍ଟନ କରାଯିବ।