ମମତା ଯୋଜନାରେ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ମହିଳା ଉପକୃତ: ବିଜେଡି

•ମହିଳା ସଶକ୍ତୀକରଣ ନବୀନ ସରକାରଙ୍କ ପ୍ରାଥମିକତା। •ମମତା ସହାୟତା ବାବଦରେ ଦିଆ ଗଲାଣି ୨୯୦୦ କୋଟି।

ମମତା ମଡେଲକୁ ଆପଣେଇଛନ୍ତି କେନ୍ଦ୍ର ସରକାର

ଭୁବନେଶ୍ବର, ୧୪/୦୨/୨୦୨୪: ନବୀନ ସରକାର ଗତ ୨୪ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ବିକାଶ ଓ ସଶକ୍ତୀକରଣ ପାଇଁ ସବୁବେଳେ କଠିନ ପରିଶ୍ରମ କରିଛନ୍ତି। ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି। ମମତା ଯୋଜନାରେ ୬୦ ଲକ୍ଷରୁ ଉର୍ଦ୍ଧ୍ଵ ଗର୍ଭବତୀ ମହିଳା ଓ ମା’ ଉପକୃତ ହୋଇଥିବା ବେଳେ ବିଜେଡି ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ପ୍ରାୟ ୨୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ଓ ସୋଫିଆ ଆଲମ।

ଦୁଇ ପ୍ରବକ୍ତା କହିଛନ୍ତି ଯେ, ମମତା ଯୋଜନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ରାଜ୍ୟର କୋଟି କୋଟି ମହିଳାଙ୍କ ପ୍ରତି ବିଜେଡ଼ି ସରକାରଙ୍କ ଦୃଢ ପ୍ରତିବଦ୍ଧତାକୁ ଦର୍ଶାଉଛି। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ପୁଷ୍ଟିହୀନତା ହ୍ରାସ କରିବା ପାଇଁ ୨୦୧୧ ମସିହାରେ ମମତା ଯୋଜନା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ୬ ମାସର ଗର୍ଭଧାରଣ ପରେ ପ୍ରଥମ କିସ୍ତି ୬୦୦୦ ଟଙ୍କା ଏବଂ ଶିଶୁଙ୍କୁ ୧୦ ମାସ ପୂରିବା ପରେ ଦ୍ୱିତୀୟ କିସ୍ତି ୪୦୦୦ ଟଙ୍କା ପ୍ରଦାନ କରାଯିବ। ଓଡ଼ିଶା ମମତା ଯୋଜନାର ସଫଳତା ଯୋଗୁଁ ଏହାକୁ ଜାତୀୟ ମଡେଲ ଭାବେ ଗ୍ରହଣ କରାଯାଇଛି। ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଜାତୀୟ ମାନଦଣ୍ଡ ଏବଂ ମାଇଲଖୁଣ୍ଟ ଭାବେ ସ୍ୱୀକୃତି ପାଇଛି।