କଳାକାର ସହାୟତା ୨୦୦୦କୁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି

କଳାକାର ମାନଙ୍କ ସହାୟତା ରାଶିରେ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। କଳାକାର ମାନେ ପାଇବେ ମାସକୁ ୨୦୦୦ ଟଙ୍କା ସହାୟତା, ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫୦୦ ଟଙ୍କା ପାଇବେ। ଚଳିତ ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ସହାୟତା

ଉପକୃତ ହେବେ ୮୦ ହଜାର କଳାକାର

ଭୁବନେଶ୍ଵର, ୧୪/୦୨/୨୦୨୪: ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାର ମାନେ ଭାଷା, ସାହିତ୍ଯ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି ।

ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ ବର୍ଷରୁ ଉର୍ଦ୍ଧ୍ୱ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ। ଏହାଦ୍ବାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ ସେମାନଙ୍କର ସଂଗଠନମାନେ ଦାବି ଉପସ୍ଥାପନ କରିଥିଲେ।

ଏହା ବ୍ଯତୀତ ଲୋକସେବା ଭବନର କନଭେନସନ କେନ୍ଦ୍ରରେ 5T ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ ମଧ୍ୟ କରିଥିଲେ ।

ପୂର୍ବରୁ ଏହି ଯୋଜନାର ୫୦,୦୦୦ କଳାକାର ମାନଙ୍କୁ ମାସିକ ଟ୧୨୦୦/-ଙ୍କା(ବାରଶହ) ଆଧାରରେ ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦ କୁ ବୃଦ୍ଧି କରାଯାଇଅଛି ଯାହାଦ୍ୱାରା ଆହୁରି ରାଜ୍ୟର ୩୦,୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ ।

ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ ୪, ଉପ ନିୟମ (ii)ରେ ଉଲ୍ଲେଖଥିବା କଳାକାରମାନଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି ।

୮୦ ବର୍ଷ ପର୍ଯ୍ୟନ୍ତ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କାରୁ ଟ୨୦୦୦/-ଙ୍କାକୁ ଓ ୮୦ ବର୍ଷରୁ ଊର୍ଦ୍ଧ୍ଵ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କାରୁ ଟ୨୫୦୦/-ଙ୍କାକୁ ବୃଦ୍ଧି କରାଯାଇଅଛି ।

ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ ଏବଂ ଡିବିଟି ମାଧ୍ୟମରେ ଫେବୃଆରୀ ମାସ ୨୦ତାରିଖରୁ ୨୫ତାରିଖ ମଧ୍ୟରେ ପ୍ରଦାନ କରାଯିବ ।

ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ। ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବ।