ଆମ ବସ୍‌ ଷ୍ଟାଣ୍ଡ’ ଯୋଜନା: ୧୩ଟି ଜିଲ୍ଲାରେ ୨୦ଟି ବସ୍‌ ଷ୍ଟାଣ୍ଡର ଲୋକାର୍ପଣ

ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ: ମୁଖ୍ୟମନ୍ତ୍ରୀ । ବସ ଷ୍ଟାଣ୍ଡର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ପାଇଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଅନୁରୋଧ ।

ଯୋଗାଯୋଗ ହେଉଛି ବିକାଶର ଆଧାର, ଆମ ଅର୍ଥନୀତିର ମୁଖ୍ୟ ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୫.୦୨.୨୦୨୪: ଯୋଗାଯୋଗ ହେଉଛି ବିକାଶର ଆଧାର। ଏହା ହେଉଛି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି। ଗାଁଠୁ ସହର ସବୁଆଡେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ଆମର ଲକ୍ଷ୍ୟ ରହିଛି ବୋଲି ବିଭିନ୍ନ ଜିଲ୍ଲାରେ ବସ ଷ୍ଟାଣ୍ଡର ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ୧୩ଟି ଜିଲ୍ଲାରେ ୨୦ଟି ନବନିର୍ମିତ ବସ୍‌ ଷ୍ଟାଣ୍ଡ ଉଦ୍‌ଘାଟନ କରିଛନ୍ତି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁବର୍ଣ୍ଣପୁର।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, “୫-ଟି ଉପକ୍ରମରେ ଆମର ଯୋଗାଯୋଗ ଭିତ୍ତିଭୂମି ଓ ସାଧାରଣ ପରିବହନର ବ୍ୟବସ୍ଥାର ବିକାଶ କରାଯାଉଛି। ଗାଁକୁ ଲକ୍ଷ୍ମୀ ଯୋଜନାରେ ବ୍ଲକ ସହ ଯୋଡା ଯାଉଛି। ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢିବା ସହ ଚାଷୀ ଭାଇ ଭଉଣୀମାନେ ଲାଭବାନ ହେବେ ଓ ପିଲାଙ୍କ ପାଠପଢାରେ ସୁବିଧା ହେବ। ନୂଆ ବସ୍‌ ଷ୍ଟାଣ୍ଡଗୁଡିକ ବ୍ୟବସାୟ କେନ୍ଦ୍ର ଭାବେ ଧିରେ ଧିରେ ବିକଶିତ ହେବ ଏବଂ ଏହା ଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ସାଧାରଣ ପରିବହନ ଭିତ୍ତିଭୂମିକୁ ମଜବୁତ୍‌ କରିବା ସହିତ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେଥିପାଇଁ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକ।”

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ନୂଆପଡାଠାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ମୁନିଗୁଡାଠାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ହରଭଙ୍ଗାଠାରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ୍‌ ନୂଆ ବସ୍‌ ଷ୍ଟାଣ୍ଡ ମାଧ୍ୟମରେ ଜନସାଧାରଣଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରାଯାଇଛି ଏବଂ ଏହି ବସ୍‌ ଷ୍ଟାଣ୍ଡଗୁଡିକ ରାଜ୍ୟର ପରିବହନ ସେବା କ୍ଷେତ୍ରରେ ମାଇଲଖୁଣ୍ଟ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମକୁ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଗୋଟିଏ ସହରର ପରିଚୟ ସୃଷ୍ଟି ପାଇଁ ବସ୍‌ ଷ୍ଟାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଏହି ବସ୍‌ ଷ୍ଟାଣ୍ଡ ଗୁଡିକ ଆପଣମାନଙ୍କର ସମ୍ପତ୍ତି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏଥି ସହିତ ବିଭିନ୍ନ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଉପକ୍ରମରେ ନିଆଯାଇଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଭୋଗରାଇଠାରେ ବିଧାୟକ ଶ୍ରୀ ଅନନ୍ତ ଦାସ, ସିମିଳିଗୁଡାଠାରେ ବିଧାୟକ ଶ୍ରୀ ରଘୁରାମ ପଡାଲ, ବିରମହାରାଜପୁରଠାରେ ବିଧାୟକ ଶ୍ରୀ ପଦ୍ମନାଭ ବେହେରା ଯୋଗଦେଇ କହିଥିଲେ ଯେ ନୂଆ ବସ୍‌ ଷ୍ଟାଣ୍ଡ ଦ୍ୱାରା ସାଧାରଣ ଲୋକଙ୍କର ଗମନାଗମନ ବ୍ୟବସ୍ଥାରେ ଯେଉଁ ଅସୁବିଧା ଥିଲା ତାହା ଦୂର ହୋଇଛି। ଜନସାଧାରଣଙ୍କ ପାଇଁ ଏଭଳି ସୁବିଧା ସୁଯୋଗ ଆଣିଦେଇଥିବା ହେତୁ ମୁଖ୍ୟମନ୍ତ୍ରୀ ଓ ୫-ଟି, ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଓଏସଆରଟିସିର ସିଏମଡି ଦିପ୍ତେଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।