ଚିଲିକାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କଲେ ମାନସ ମଙ୍ଗରାଜ

ଶନିବାର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଛନ୍ତି।

ଚିଲିକାର ଉନ୍ନତି ପାଇଁ ସରକାର ପ୍ରସ୍ତୁତ: ମାନସ

ଭୁବନେଶ୍ବର, ୧୮/୦୨/୨୦୨୪: ଶନିବାର ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଚିଲିକାରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଚିଲିକା ହ୍ରଦ ନିକଟରେ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଏକ ଶୌଚାଳୟ କମ୍ପ୍ଲେକ୍ସ, ମୁକ୍ତା ଯୋଜନାରେ ଏକ ଚଲା ପଥ, କୁଲା କୁଣ୍ଡେଇ ନୂଆଗାଁଠାରେ ମିଶନ ଶକ୍ତି ଭବନର ଉଦଘାଟନ କରିବା ସହ ବାଲୁଗାଁ ଏନଏସି ଅଧୀନରେ ଥିବା ଐତିହାସିକ ମାମୁଁ ଭଞ୍ଜ ପାହାଡ଼ ନିକଟରେ ଥିବା ହିଲ୍ ସାଇଡ୍ ପାର୍କର ମଧ୍ଯ ଉଦଘାଟନ କରିଥିଲେ ସାଂସଦ ମଙ୍ଗରାଜ। ଏହି ଅବସରରେ ବାଲୁଗାଁ ଏନ୍ଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ସେହିଭଳି ବାଣପୁର ଏନଏସି ଓ ବ୍ଲକ ପରିଦର୍ଶନ କରି ଏକାଧିକ ପ୍ରକଳ୍ପର ଉଦଘାଟନ କରିଥିଲେ। ବାଣପୁରରେ ଭେଣ୍ଡିଂ ଜୋନ୍ ଉଦଘାଟନ କରିବା ସହ ଇଦଗା ମଇଦାନ, ଏନଏସିରେ ଚଲା ପଥ, ବ୍ଲକରେ ମିଶନ ଶକ୍ତି ଭବନ, ସାଇ କମ୍ୟୁନିଟି ସେଣ୍ଟର, ସ୍ମାର୍ଟ ଶ୍ମଶାନ ଓ ସ୍ମାର୍ଟ ପାର୍କର ଶିଳାନ୍ୟାସ କରିଥିଲେ।

ଉଦଘାଟନ ଅବସରରେ ସାଂସଦ ମଙ୍ଗରାଜ ସ୍ଥାନୀୟ ଜନସାଧାରଣଙ୍କ ସହ ଭାବ ବିନିମୟ କରିବା ସହ ଆଗାମୀ ଦିନରେ ଚିଲିକାର ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି।